ଉଗ୍ରରୂପ ନେଉଛି ଚାଷୀ ଆନ୍ଦୋଳନ, କୃଷକଙ୍କୁ ସମର୍ଥନ କରୁଛନ୍ତି ହଲିଉଡ୍ ସେଲିବ୍ରିଟି

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ପ୍ରତି ବଢୁଛି ଅନ୍ତରାଷ୍ଟ୍ରୀୟ ସମର୍ଥନ। ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି ଗ୍ଲୋବାଲ ସେଲିବ୍ରିଟି। ୨ମାସରୁ ଊର୍ଦ୍ଧ୍ୱ ସମୟ ଧରି ରାଜରାସ୍ତାରେ ବସିଥିବା ଚାଷୀଙ୍କ ସମ୍ପର୍କରେ କାହିଁକି ଆଲୋଚନା କରାଯାଉନି ବୋଲି ଟୁଇଟ କରିଛନ୍ତି ହଲିଉଡ୍ ଗାୟିକା ରିହାନା। ପୂର୍ବରୁ ବି ଅନେକ ଦେଶରୁ ଚାଷୀଙ୍କୁ ସମର୍ଥନ ମିଳିଥିବା ବେଳେ ଅନ୍ତରାଷ୍ଟ୍ରୀୟସ୍ତରର ସେଲିବ୍ରିଟିମାନେ ଚାଷୀ ଆନ୍ଦୋଳନକୁ ନେଇ ସୋସିଆଲ୍ ମିଡିଆରେ ସମର୍ଥନ ଦେଉଛନ୍ତି।
ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସମାଜସେବୀ ଲିସିପ୍ରିୟା କାଙ୍ଗଜୁଜାମ ଟ୍ୱିଟରରେ କୃଷକ ଆନ୍ଦୋଳନକୁ ଖୋଲାଖୋଲି ସମର୍ଥନ କରିଛନ୍ତି। ଏହାସହ ଅନ୍ୟମାନେ ମଧ୍ୟ ଏହାକୁ ସମର୍ଥନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ସେପଟେ ଚାଷୀ ଆନ୍ଦୋଳନକୁ ନିଜର ସମର୍ଥନ ଜଣାଇଛନ୍ତି ଗ୍ରେଟା ଥନ୍ବର୍ଗ।
ଅନ୍ୟପଟେ ଚାଷୀଙ୍କ ବିରୋଧରେ ବିବାଦୀୟ ଟୁଇଟ୍ କରି ପୁଣି ଟ୍ରୋଲ ହୋଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ। ଚାଷୀଙ୍କ ସମର୍ଥନରେ ବାହାରିଥିବା ହଲିଉଡ୍ ଗାୟିକା ଟୁଇଟ୍ କରିଥିବା ଟୁଇଟ୍ର ଜବାବ ଦେବାକୁ ଯାଇ କଙ୍ଗନା ଚାଷୀଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି। ଏହାକୁ ନେଇ ସୋସିଆଲ୍ ମିଡିଆରେ କଙ୍ଗନାଙ୍କୁ ଜବରଦସ୍ତ ଟ୍ରୋଲ୍ କରାଯାଉଛି।