ନେତାଙ୍କ ଦେହରେ ଲାଗିଲା ଅବିର,ହୋଲିର ରଙ୍ଗରେ ଦେଖିଲେ ରାଜନୀତିର ରଙ୍ଗୀନ ସ୍ବପ୍ନ
1 min read
ନନ୍ଦିଘୋଷ ବ୍ୟୁରୋ: ନେତାଙ୍କ ଦେହରେ ଲାଗିଲା ଅବିର । ହୋଲିର ରଙ୍ଗରେ ଦେଖିଲେ ରାଜନୀତିର ରଙ୍ଗୀନ ସ୍ବପ୍ନ । ସଶକ୍ତ ସଙ୍ଗଠନ ପାଇଁ ବିଜେଡିର ସଙ୍କଳ୍ପ । ଗେରୁଆ ରଙ୍ଗରେ ବିକାଶର ଚିତ୍ର ଆଙ୍କିଲା ବିଜେପି । କଂଗ୍ରେସ ବି ହାତରେ ଜନତାଙ୍କୁ ରଙ୍ଗ ବୋଳିବାକୁ ଚେଷ୍ଟା । ନାଚ, ଗୀତ ସାଙ୍ଗକୁ ପଣା,ଦହିବରା, ମିଠାର ଆସର l ପୁଣି ରଂଗ ବୋଳାବୋଳି ସହ ହୋଲିର ଅଭିନନ୍ଦନ l କିଏ ଦଳୀୟ କାର୍ଯ୍ୟାଳୟରେ କର୍ମୀ, ନେତା ଓ ଶୁଭେଚ୍ଛୁଙ୍କ ସହ ତ ଆଉ କିଏ ନିଜ ବାସଭବନରେ ପାଳିଲେ ହୋଲି ଉତ୍ସବ l ରଙ୍ଗର ପର୍ବ ହୋଲିକୁ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳର ନେତାମାନେ l ହୋଲିର ରଙ୍ଗ ଖେଳ ଭିତରେ ଓଡିଶାକୁ ଅଧିକ ରଙ୍ଗୀନ କରିବାର ଦାୟିତ୍ୱକୁ ବି ଭୁଲିନାହାନ୍ତି ନେତାମାନେ l ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ରଙ୍ଗର ପର୍ବ ହୋଲିକୁ ନିଜ ସରକାରୀ ବାସଭବନରେ ଧୁମଧାମରେ ପାଳନ କରିଛନ୍ତି l ବିଜେଡିକୁ ଅଧିକ ସଶକ୍ତ କରି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ଆଦ୍ୱାନ ଦେଇଛନ୍ତି l ଏହାସହ ଶାସକ ବିଜେପିକୁ ରଙ୍ଗବଦଳାର ସରକାର କହି ରାଜନୀତିର ପିଚକାରୀ ମାରିଛନ୍ତି ଅନନ୍ତ l ଅନ୍ୟପଟେ ପ୍ରଥମ ଥର ବିଧାୟକ ହୋଇଥିବା ବିଜେଡିର ଅରବିନ୍ଦ ମହାପାତ୍ର ଓ ବିଜେପିର ଅମର ନାୟକ ନିଜ ନିର୍ବାଚନୀ ମଣ୍ଡଳୀର ସମର୍ଥକଙ୍କ ଗ୍ରହଣରେ ହୋଲି ପାଳନ କରିଛନ୍ତି l ମହାନଦୀ ଶୁଖି ଯାଇଥିବାରୁ ଆଗକୁ ରାଜ୍ୟରେ ପାଣି ସଂକଟ ଉଗ୍ରରୂପ ନେବାକୁ ଯାଉଥିବାରୁ ଏବେ ଠାରୁ ରାଜ୍ୟ ସରକାର ଏହା ଉପରେ ଦୃଷ୍ଟି ଦେବାକୁ ବିଜେଡିର ଯୁବ ବିଧାୟକ ଦାବି କରିଛନ୍ତି l ସେହିପରି ବିଜେପି ବିଧାୟକ ରଙ୍ଗ ଖେଳ ଭିତରେ ନିଜ ନିର୍ବାଚନୀ ମଣ୍ଡଳୀର ବିକାଶର ଚିତ୍ର ଆଙ୍କିଛନ୍ତି l
ସେପଟେ ହୋଲି ପାଇଁ କଂଗ୍ରେସ ଶିବିରରେ ବି ଉତ୍ସାହ କିଛି କମ ନଥିଲା l ରଙ୍ଗ ଉତ୍ସବରେ ଉତ୍ସବମୁଖର ହୋଇଉଠିଥିଲା ରାଜ୍ୟ କଂଗ୍ରେସ ଭବନ l ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ବାଜାର ତାଳେ ତାଳେ ନାଚି ରଙ୍ଗର ପର୍ବ ସେଲିବ୍ରେସନ କରିଛନ୍ତି l ସେହିପରି ବରିଷ୍ଠ କଂଗ୍ରେସ୍ ନେତା ଜୟଦେବ ଜେନା ନିଜ ବାସଭବନରେ ସମର୍ଥକଙ୍କ ସହ ହୋଲି ପାଳିଛନ୍ତି l କଂଗ୍ରେସ୍ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ କର୍ମୀ ଓ ଶୁଭେଚ୍ଛୁଙ୍କୁ ରଙ୍ଗ ବୋଳି ଶୁଭେଚ୍ଛା ଜଣାଇଛନ୍ତି । ରାଜନୀତିର ବ୍ୟସ୍ତତା ଭିତରେ ନେତାମାନେ ରଙ୍ଗ ଖେଳିବାକୁ ଭୁଲି ନାହାନ୍ତି । ଆଉ ଚଳିତ ବର୍ଷ ଫଗୁର ରଂଗରେ ଲାଗିଛି ରାଜନୀତିର ଛିଟା ।