ହକି ବିଶ୍ବକପ: ଆଜି ଭୁବନେଶ୍ବରରେ ପହଞ୍ଚିବ ନେଦରଲାଣ୍ଡ୍ସ, ଗୁରୁବାର ଆସିବ ଚିଲି

ଭୁବନେଶ୍ୱର: ହକି ବିଶ୍ବକପକୁ ଆଉ ମାତ୍ର ୯ ଦିନ । ଆଜି ଭୁବନେଶ୍ବରରେ ୨୦୧୮ ବିଶ୍ବକପର ରୌପ୍ୟପଦକ ବିଜେତା ନେଦରଲାଣ୍ଡସ ଟିମ୍ ପହଞ୍ଚିବ । ବିମାନବନ୍ଦରରେ ପହଞ୍ଚିବା ପରେ ନେଦରଲାଣ୍ଡ୍ସ ଦଳକୁ ମେ’ ଫେୟାର ହୋଟେଲ ନିଆଯିବ । ଆସନ୍ତା ଜାନୁଆରୀ ୧୪ରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ମାଲେସିଆ ବିପକ୍ଷରେ ଖେଳିବ ନେଦରଲ୍ୟାଣ୍ଡସ । ତେବେ ଆସନ୍ତାକାଲିଠୁ ଚିଲି, ଜାପାନ, ଆର୍ଜେଣ୍ଟିନା ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ । ଏଥର ଟ୍ରଫି ହାସଲ ଲାଗି ନେଦରଲ୍ୟାଣ୍ଡସ୍ ଦଳ ପ୍ରମୁଖ ଦାବିଦାର ରହିଛି । ବିଶ୍ବକପ୍ ଇତିହାସରେ ସର୍ବାଧିକ ମ୍ୟାଚ୍ ଖେଳିଥିବା ନେଦରଲାଣ୍ଡସ୍ ଏପର୍ଯ୍ୟନ୍ତ ବିଶ୍ୱକପରେ ୧୦୦ ମ୍ୟାଚ୍ ଖେଳି ଜିତିଛି ୬୧ ମ୍ୟାଚ୍। ନେଦରଲାଣ୍ଡସ୍ ପଛକୁ ସର୍ବାଧିକ ମ୍ୟାଚ୍ ଖେଳିଥିବା ଦେଶ ଭାବେ ଦ୍ବିତୀୟରେ ରହିଛି ଭାରତ। ଆଗାମୀ ବିଶ୍ବକପ୍ ଆୟୋଜନ କରୁଥିବା ନେଦରଲାଣ୍ଡସ୍  ପ୍ରଥମ ବିଶ୍ବକପ୍ରୁ ହିଁ ଏପର୍ଯ୍ୟନ୍ତ ଭାଗ ନେଇଆସୁଛି।

ବିଗତ ୧୪ ସଂସ୍କରଣ ମଧ୍ୟରେ ଭାରତ ଖେଳିଛି ମୋଟ ୯୫ ମ୍ୟାଚ୍ ଏବଂ ଜିତିଛି ୪୦ । ବିଜୟ ହାର ୪୨ ପ୍ରତିଶତ । ୧୯୭୫ରେ ହିଁ କେବଳ ଥରେ ବିଶ୍ବକପ୍ ଜିତିଛି ଭାରତ । ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୪ଟି ସଂସ୍କରଣରେ ୬ ଭିନ୍ନି ଭିନ୍ନ ରାଷ୍ଟ୍ର ବିଶ୍ବକପ୍ ଟ୍ରଫି ଜିତିବାରେ ସୌଭାଗ୍ୟ ଅର୍ଜନ କରିଛନ୍ତି । ବିଶ୍ୱକପରେ ସବୁଠୁ ସଫଳ ଟିମ୍ ପାକିସ୍ତାନ ୪ ଥର ବିଶ୍ୱକପ ଚାମ୍ପିୟନ ହୋଇଥିବା ବେଳେ ୨୦୨୩ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଛି । ନେଦରଲାଣ୍ଡସ୍ ଓ ଅଷ୍ଟ୍ରେଲିଆ ୩ ଥର ଲେଖାଏଁ, ଜର୍ମାନୀ ୨ ଥର ଏବଂ ଭାରତ ଓ ବେଲଜିୟମ୍ ଥରେ ଲେଖାଏଁ ବିଶ୍ବ ବିଜେତା ହୋଇଛନ୍ତି । ୨୦୧୮ରେ ଓଡ଼ିଶାର ଅନୁଷ୍ଠିତ ବିଶ୍ୱକପରେ ବିଜେତା ହୋଇଥିଲା ବେଲଜିୟମ୍ । ୧୯୭୧ରୁ ଆରମ୍ଭ ହୋଇଥିବା ହକି ବିଶ୍ବକପର ୫୨ ବର୍ଷ ଇତିହାସରେ ୨୬ ଦଳ ପ୍ରତିଦ୍ବନ୍ଦ୍ବିତା କରିସାରିଛନ୍ତି ।