ହକି ବିଶ୍ବକପ: ଭୁବନେଶ୍ବରରେ ପହଞ୍ଚିଲେ ନେଦରଲାଣ୍ଡ୍ସ ହକି ଟିମ୍

ଭୁବନେଶ୍ୱର: ହକି ବିଶ୍ବକପକୁ ଆଉ ମାତ୍ର ୯ ଦିନ । ଭୁବନେଶ୍ବରରେ ପହଞ୍ଚିଛି ୨୦୧୮ ବିଶ୍ବକପର ରୌପ୍ୟପଦକ ବିଜେତା ନେଦରଲାଣ୍ଡସ ଟିମ୍ । କଡ଼ା ସୁରକ୍ଷାରେ ଖେଳାଳିଙ୍କୁ ହୋଟେଲକୁ ନିଆଯାଇଛି । ୧୪ ତାରିଖରେ ରାଉରକେଲାରେ ମାଲେସିଆ ବିପକ୍ଷରେ ଖେଳିବ ନେଦରଲାଣ୍ଡ୍ସ । ଆସନ୍ତାକାଲିଠୁ ଚିଲି, ଜାପାନ, ଆର୍ଜେଣ୍ଟିନା ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ । ଏଥର ଟ୍ରଫି ହାସଲ ଲାଗି ନେଦରଲାଣ୍ଡ୍ସ ଦଳ ପ୍ରମୁଖ ଦାବିଦାର ରହିଛି ।

ବିଶ୍ବକପ୍ ଇତିହାସରେ ସର୍ବାଧିକ ମ୍ୟାଚ୍ ଖେଳିଥିବା ନେଦରଲାଣ୍ଡ୍ସ ଏପର୍ଯ୍ୟନ୍ତ ବିଶ୍ୱକପରେ ୧୦୦ ମ୍ୟାଚ୍ ଖେଳି ୬୧ ମ୍ୟାଚ୍ ଜିତିଛି । ନେଦରଲାଣ୍ଡ୍ସ ପଛକୁ ସର୍ବାଧିକ ମ୍ୟାଚ୍ ଖେଳିଥିବା ଦେଶ ଭାବେ ଦ୍ବିତୀୟରେ ରହିଛି ଭାରତ । ଆଗାମୀ ବିଶ୍ବକପ୍ ଆୟୋଜନ କରୁଥିବା ନେଦରଲାଣ୍ଡ୍ସ ପ୍ରଥମ ବିଶ୍ବକପରୁ ହିଁ ଏପର୍ଯ୍ୟନ୍ତ ଭାଗ ନେଇଆସୁଛି । ବିଗତ ୧୪ ସଂସ୍କରଣ ମଧ୍ୟରେ ଭାରତ ଖେଳିଛି ମୋଟ ୯୫ ମ୍ୟାଚ୍ ଏବଂ ଜିତିଛି ୪୦ । ବିଜୟ ହାର ୪୨ ପ୍ରତିଶତ । ୧୯୭୫ରେ ହିଁ କେବଳ ଥରେ ବିଶ୍ବକପ୍ ଜିତିଛି ଭାରତ । ୨୦୧୮ରେ ଓଡ଼ିଶାର ଅନୁଷ୍ଠିତ ବିଶ୍ୱକପରେ ବିଜେତା ହୋଇଥିଲା ବେଲଜିୟମ୍ ।