ପ୍ରତି ସୋମବାର କଲେଜ ଛାତ୍ରଛାତ୍ରୀଙ୍କୁ ଦିଆଯିବ ହକି ସଫଳତାର ବାର୍ତ୍ତା

ଭୁବନେଶ୍ବର: ହକି ପାଇଁ କେମିତି ବରଦାନ ସାଜିଛି ଓଡ଼ିଶା ? ଭାରତୀୟ ହକିକୁ କେମିତି ନୂଆ ଜୀବନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ମାଟି କାମୁଡ଼ି ପଡ଼ିଥିବା ଭାରତୀୟ ହକି କେମିତି ନିଜ ସ୍ବର୍ଣ୍ଣିମ ଯୁଗକୁ ଫେରୁଛି ? ହକିର ଏହି ସଫଳତା ଗାଥା ଶୁଣିବେ କଲେଜ ପିଲା । ଏଣିକି ପ୍ରତି ସୋମବାର କଲେଜରେ ସବୁ ପିଲାଙ୍କୁ ଏକାଠି କରି ଦିଆଯିବ ହକି ସଫଳତାର ବାର୍ତ୍ତା ।

ଏନେଇ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା ଉଚ୍ଚ ଶିକ୍ଷା ବିଭାଗ । ଭାରତୀୟ ଜାତୀୟ ଖେଳ ହକିର ପୁନରୁଦ୍ଧାର, ହକିକୁ ଓଡ଼ିଶାର ପ୍ରୋତ୍ସାହନ ସମ୍ପର୍କରେ ପିଲାଙ୍କୁ ଅବଗତ କରାଯିବ । ଓଡ଼ିଶା ଜାତୀୟ ହକି ଦଳର ପ୍ରାୟୋଜକ ହେବା ପରେ କିଭଳି ଦଳର ପ୍ରଦର୍ଶନରେ ଉନ୍ନତି ଆସିଛି ସେ ନେଇ କଲେଜ ପିଲାଙ୍କୁ କୁହାଯିବ ।

ଦୁଇପୃଷ୍ଠା ସମ୍ବଳିତ ଏକ ସଫଳ ବାର୍ତ୍ତା ପାଠ କରାଯିବ । ଏହାସହ କ୍ୟାମ୍ପସରେ ହକି ସଫଳତା ସମ୍ବଳିତ ବ୍ୟାନର ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେତିକି ନୁହେଁ, ପିଲାଙ୍କୁ ଏହି ଅବସରରେ ଚକୋଲେଟ୍ କିମ୍ବା ମିଠା ବଣ୍ଟନ କରାଯିବ । ଛାତ୍ରଛାତ୍ରୀଙ୍କ ଭିତରେ ହକି ପାଇଁ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ।

ଗତ ସୋମବାର ରାଜ୍ୟର ସମସ୍ତ ସ୍କୁଲରେ ପ୍ରାର୍ଥନା କ୍ଲାସରେ ହକିର ସଫଳ ବାର୍ତ୍ତା ଶୁଣିଥିଲେ ଛାତ୍ରଛାତ୍ରୀ । ଭାରତୀୟ ହକି ଦଳ ପାଇଁ ଓଡ଼ିଶାର ଅବଦାନ ଗୁରୁତ୍ଵପୂର୍ଣ୍ଣ । ୨୦୧୮ ମସିହାରୁ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ରହିଛି । ସୁନ୍ଦରଗଡ଼ ଦେଶର ହକି ଏନ୍ତୁଡିଶାଳ । ଏଠାରେ ବିଶ୍ବର ସର୍ବବୃହତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ କରିଛନ୍ତି ଓଡ଼ିଶା ସରକାର । ଓଡ଼ିଶା ସୃଷ୍ଟି କରିଛି ଦିଲ୍ଲୀପ ତିର୍କୀ, ବିରେନ୍ଦ୍ର ଲାକ୍ରା, ଅମିତ୍ ରୋହିଦାସ, ଦୀପଗ୍ରସ ଏକ୍କା କରି ପରି ଅନେକ ହକି କ୍ରୀଡ଼ାବିତ୍ । ଯେଉଁମାନେ ଭାରତ ପାଇଁ ପ୍ରତିନିଧିତ୍ବ କରିଛନ୍ତି । ଉନ୍ନତ ଭିତ୍ତିଭୂମି ଓ ତାଲିମ ପାଇଁ ଭାରତର ପ୍ରଦର୍ଶନ ଦିନକୁ ଦିନ ଆହୁରି ଉନ୍ନତ ହେଉଛି ।