କ୍ରିକେଟ ପରି ସାରା ଦେଶରେ ଚମକିବ ହକି, ଖେଳାଳିଙ୍କୁ ବଣ୍ଟନ ହେବ ୧୧ ହଜାର ହକି ଷ୍ଟିକ୍ ଓ ୩୩୦୦ ହକି ବଲ୍

ଭୁବନେଶ୍ୱର: କ୍ରିକେଟ ପରି ସାରା ଦେଶରେ ବଢ଼ିବ ହକିର ଲୋକପ୍ରିୟତା । ହକିର ବିକାଶ ପାଇଁ ଅଣ୍ଟା ଭିଡ଼ିଛି ହକି ଇଣ୍ଡିଆ । ହକି ବିକାଶ ନିମନ୍ତେ ପର୍ଯ୍ୟାୟକ୍ରମେ ୧୧ ହଜାର ହକି ଷ୍ଟିକ୍, ୩୩୦୦ ହକି ବଲ୍ ଓ ଅନ୍ୟାନ୍ୟ ଖେଳ ସରଞ୍ଜାମ ବାଣ୍ଟିବ ହକି ଇଣ୍ଡିଆ । ସମସ୍ତ ସଦସ୍ୟ ୟୁନିଟ୍ ଏବଂ ବଛାବଛା ଏକାଡେମୀ ହକି ଷ୍ଟିକ୍ ଓ ହକି ବଲ୍ ପାଇବେ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି । ଏହାଦ୍ବାରା ଦେଶର ହକି ଖେଳାଳିମାନେ ଉପକୃତ ହେବା ସାଙ୍ଗକୁ ଖେଳ ଅଧିକ ଆଦୃତ ହୋଇପାରିବ । ହକି ଖେଳାଳିମାନେ ସେମାନଙ୍କ କ୍ୟାରିୟର ଆରମ୍ଭରୁ ଉପଯୁକ୍ତ ସରଞ୍ଜାମ ପାଇପାରିବେ । ଖେଳାଳିମାନେ ନିଜକୁ କିପରି ଫିଟ୍ ରଖିପାରିବେ ସେହି ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଦିଲୀପ ତିର୍କୀ କହିଛନ୍ତି ।

ଭାରତୀୟ ହକି ତା’ର ପୂରୁଣା ଗୌରବ ଫେରିପାଇବା ଲକ୍ଷ୍ୟରେ କାମ କରୁଛି ହକି ଇଣ୍ଡିଆ । ଏଥିପାଇଁ ତୃଣମୂଳ ସ୍ତରକୁ ମଜଭୁତ କରିବାକୁ ପଡ଼ିବ ବୋଲି ହକି ଇଣ୍ଡିଆ ସଭାପତି କହିଛନ୍ତି । ଭାରତରେ ହକିର ବିକାଶ ମୂଳ ଲକ୍ଷ୍ୟ । ସମଗ୍ର ଦେଶରେ ଖେଳାଳିଙ୍କୁ ଉଚ୍ଚମାନର ହକି ସରଞ୍ଜାମ ଯୋଗାଇଦେବା କ୍ଷେତ୍ରରେ କାମ କରାଯାଉଛି । ଏହାଦ୍ବାରା ଯୁବ ହକି ଖେଳାଳିମାନେ ଉପକୃତ ହେବା ସହ ସବୁ ପ୍ରାନ୍ତକୁ ହକି ପହଞ୍ଚିପାରିବ । ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ଭାର ସମ୍ଭାଳିବା ପରେ ହକିର ବିକାଶ ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ଯାହାକୁ ଚାରିଆଡୁ ପ୍ରଶଂସା କରାଯାଉଛି ।