ପ୍ଯାରିସ୍ ଅଲିମ୍ପିକ୍ସରେ ଇତିହାସ ପରେ ଭାରତୀୟ ହକି ଟିମକୁ ପୁରସ୍କାରର ସୁଅ

1 min read

ନୂଆଦିଲ୍ଲୀ : ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଦଳ । ଲଗାତର ଦୁଇ ଥର ଜିତିଛି ମେଡାଲ । ପ୍ଯାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଗୌରବ ଲାଭ କରିଛି ଟିମ୍ ଇଣ୍ଡିଆ । ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ମେଡାଲ ନିଜ ନାମରେ କରିଛି ଭାରତ। ୨ଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂ ସ୍କୋର କରିଛନ୍ତି। ଏହା ସହିତ ୫୨ ବର୍ଷ ପରେ ଲଗାତର ଦୁଇଟି ଅଲିମ୍ପକ୍ସରେ ପଦକ ଭାରତ ଜିତିଛି। ବ୍ରୋଞ୍ଜ ମେଡାଲ ଲଢେଇରେ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିଥିଲା ଭାରତ। ଭାରତୀୟ ହକି ଟିମର ଏହି ସଫଳତା ପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ଯମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ଅଭିନନ୍ଦନ ଜଣାଇଛନ୍ତି।

ପ୍ୟାରିସ ଅଲମ୍ପିକରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ଜିତିବା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାସହ ଭାରତୀୟ ହକି ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା। ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସ୍ୱତନ୍ତ୍ର ଭାବେ ମିଳିବ ୪ କୋଟି ଟଙ୍କା । ବିଜୟୀ ହେବା ପରେ ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଭାରତୀୟ ହକି ଖେଳାଳିଙ୍କ ସହ କଥା ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଥିବାରୁ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ। ଦଳର ସଫଳତାରେ ରାଜ୍ୟ ତଥା ସାରା ଦେଶ ଗର୍ବିତ ବୋଲି କହିଛନ୍ତି ନବୀନ। ଫୋନରେ କଥା ହେବା ପରେ ନବୀନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ହକି ଖେଳାଳି। ହକି ଟିମକୁ ସ୍ପନସର କରିଥିବା ଭାରତୀୟ ହକି ଖେଳାଳି କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ନବୀନ କହିଥିଲେ ଯେ, ହକି ପାଇଁ ଓଡ଼ିଶାରେ ଅନେକ କାର୍ଯ୍ୟ କରାଯାଇଛି। କିଛି ଦଶନ୍ଧି ପରେ ହକି ଟିମକୁ କ୍ରମାଗତ ଦୁଇଟି ପଦକ ମିଳିଛି । ଏହି ସଫଳତାରେ ପ୍ରତିଟି ଭାରତୀୟ ଗର୍ବରେ ଫାଟି ପଡ଼ୁଛନ୍ତି । ନବୀନ କହିଛନ୍ତି ବ୍ୟକ୍ତିଗତ ଭାବେ ମୋ ପାଇଁ ଏହା ଭାବବିହ୍ୱଳ ମୁହୂର୍ତ୍ତ । ହକିର ସେହି ଆନନ୍ଦମୟ ଦିନଗୁଡ଼ିକ ଫେରି ଆସୁ । ଖେଳାଳିମାନେ ଦେଶ ପାଇଁ ଅଧିକରୁ ଅଧିକ ଗୌରବ ଆଣନ୍ତୁ ବୋଲି ନବୀନ ସୋସିଆଲ ମିଡିଆ ଏକ୍ସରେ ପ୍ରକାଶ କରିଛନ୍ତି । ନବୀନ ପଟ୍ଟନାୟକଙ୍କୁ ଟ୍ଵିଟ କରି ଧନ୍ଯବାଦ ଦେଇଛନ୍ତି କ୍ଯାପଟେନ ହରମନପ୍ରୀତ ସିଂହ।