କଡ଼ା ସୁରକ୍ଷା ମଧ୍ୟରେ ଫେରିଗଲେ ହକି ହିରୋ

ଭୁବନେଶ୍ୱର:  ଓଡ଼ିଶାରୁ ଫେରିଗଲେ ହକି ହିରୋ । ସ୍ୱତନ୍ତ୍ର  ବସରେ ହୋଟେଲରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିମାନବନ୍ଦର ଯାଇଥିଲେ ହକି ଖେଳାଳି । ଉଭୟ ପୁରୁଷ ଓ ମହିଳା ଟିମ ସଦସ୍ୟ ହୋଟେଲରୁ ଦୁଇଟି ସ୍ଵତନ୍ତ୍ର ବସରେ ବିମାନବନ୍ଦର ଯାଇଥିଲେ । ହକି ହିରୋଙ୍କୁ ଯେଉଁ ଭଳି ଭାବେ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ଫେରିବା ସମୟରେ ମଧ୍ୟ ଅନୁରୂପ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗତକାଲି ଭବ୍ୟ ସ୍ୱାଗତ ପରେ ଲୋକସେବା ଭବନରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳକୁ ପୁରସ୍କୃତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଆହୁରି ୧୦ ବର୍ଷ ପାଇଁ ହକି ଇଣ୍ଡିଆର ମୁଖ୍ୟ ପ୍ରାୟୋଜକ ଓଡ଼ିଶା ରହିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବର୍ଦ୍ଧନା ଅବସରରେ ହକି ଇଣ୍ଡିଆ ସଭାପତିଙ୍କୁ ୫୦ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିବା ସହ ଉଭୟ ଟିମର ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ଅଭୂତପୂର୍ବ ସ୍ୱାଗତରେ ଅଭିଭୂତ ହେବା ପରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ହକି ଖେଳାଳି । ଓଡ଼ିଶାବାସୀଙ୍କ ଭଲ ପାଇବା ଆଉ କେଉଁଠି ବି ମିଳେନି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଆମେ ଓଡ଼ିଶାରେ ଖେଳିଛୁ । ଗତ କିଛି ବର୍ଷ ହେଲା ଓଡ଼ିଶା ହକି ଇଣ୍ଡିଆର ମେରୁଦଣ୍ଡ ହୋଇ ରହିଛି । ଆଜି ଯଦି ଟୋକିଓରେ ଇଣ୍ଡିଆନ ହକି ଟିମ ମେଡାଲ ପାଇଛି କିମ୍ବା ମହିଳା ଟିମ ଭଲ ପ୍ରଦର୍ଶନ କରିଛି ତାର ଶ୍ରେୟ ଓଡ଼ିଶା ସରକାରଙ୍କ ବୋଲି କହିଥିଲେ ଖେଳାଳିମାନେ ।

Leave a Reply