ତାତିରୁ ମିଳିବ ସାମାନ୍ୟ ଆଶ୍ବସ୍ତି

ଭୁବନେଶ୍ବର: ତାତିରୁ ମିଳିଲା ତ୍ରାହୀ। ପଶ୍ଚିମାଝଡ଼ ସହ ନିମ୍ନଚାପ ରେଖା ପ୍ରଭାବରେ ସାରା ରାଜ୍ୟରେ ବଦଳିଛି ପାଗ। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଆକାଶ ମେଘାଚ୍ଛନ୍ନ ରହିବା ସହ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହୋଇଛି। ପଶ୍ଚିମାଝଡ଼ ପ୍ରଭାବରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତି ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ପ୍ରଚଣ୍ଡ ବଜ୍ରପାତ ସହିତ କୁଆପଥର ବୃଷ୍ଟି ନେଇ ୫ ଜିଲ୍ଲା କଟକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ମୟୂରଭଞ୍ଜ, ଦେବଗଡ଼, ବୌଦ୍ଧ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ ବୋଲି ଆକଳନ କରାଯାଇଛି। ଆଜି ସକାଳ ସାଢ଼େ ୮ଟାରୁ ସୁଦ୍ଧ ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୧.୪ ଡିଗ୍ରୀ ସହିତ ଆର୍ଦ୍ରତା ୮୧ ଦଶମିକ ରେକର୍ଡ କରାଯାଇଛି।