ଦେଶର ବିଭିନ୍ନ ଭାଗରେ ହିଟଓ୍ବେଭର ତାଣ୍ଡବ, ୯୦ ପ୍ରତିଶତ ଅଞ୍ଚଳ ଡେଞ୍ଜର ଜୋନରେ

1 min read

ନୂଆଦିଲ୍ଲୀ: ଭାରତର ୯୦ ପ୍ରତିଶତ ଅଞ୍ଚଳ ଡେଞ୍ଜର ଜୋନ୍ ବା ଅତ୍ୟଧିକ ବିପଜ୍ଜନକ ସ୍ଥିତିରେ ରହିଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ଅଧିକାଂଶ ଅଞ୍ଚଳ ହିଟଓ୍ବେଭର ଶିକାର ହେଉଛନ୍ତି । କେମ୍ବ୍ରିଜ ବିଶ୍ବବିଦ୍ଯାଳୟର ରମିତ ଦେବନାଥ ଓ ସହଯୋଗୀଙ୍କ ପକ୍ଷରୁ କରାଯାଇଥିବା ଗବେଷଣାରେ କୁହାଯାଇଛି- ଦେଶରେ ହିଟଓ୍ବେଭ ବଢ଼ିବାରେ ଲାଗିଛି । ନିର୍ଦ୍ଦିଷ୍ଟ ଭାବେ ଦିଲ୍ଲୀ ସିଭିୟର ହିଟଓ୍ବେଭର ଶିକାର ହେବାରେ ଲାଗିଛି । ଜାତିସଂଘ ସହନଶୀଳ ବିକାଶ ଆଭିମୁଖ୍ୟ ବା ଏସଡିଜି ହାସଲ କରିବା ଦିଗରେ ଭାରତର ଉଦ୍ୟମ ସତ୍ତ୍ବେ ଏହି ହିଟଓ୍ବେଭ ଜାରି ରହିଛି । ଏହି ତାପମାତ୍ରା ବୃଦ୍ଧି ଯୋଗୁ ଘର ବାହାରେ କାର୍ଯ୍ୟ କରିବାର ସାମର୍ଥ୍ୟ ୧୫ ପ୍ରତିଶତ ହ୍ରାସ ପାଇବ । ପ୍ରାୟ ୪୮ କୋଟି ଲୋକଙ୍କ ଜୀବନର ଗୁଣବତ୍ତା ହ୍ରାସ ପାଇବ । ଏହି କାରଣରୁ ୨୦୫୦ ସୁଦ୍ଧା ଭାରତର ଜିଡିପି ୨.୮ ପ୍ରତିଶତ ହ୍ରାସ ପାଇବ ।

୧୯୯୨ରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୨୪ ହଜାର ଲୋକଙ୍କ ପ୍ରାଣହାନି ଘଟିଛି । ଏହି ରିପୋର୍ଟରେ ଗତ ସପ୍ତାହରେ ମହାରାଷ୍ଟ୍ରରେ ଅଂଶୁଘାତରେ ୧୪ ଲୋକଙ୍କ ମୃତ୍ୟୁ ବିଷୟ ବି ସ୍ଥାନ ପାଇଛି । ପ୍ରଚଣ୍ଡ ହିଟଓ୍ବେଭ ଯୋଗୁ ଗ୍ଲାସିୟର ତରୁଳିଥିବା ରିପୋର୍ଟରେ କୁହାଯାଇଛି । ହିଟଓ୍ବେଭରେ ଦିଲ୍ଲୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ ଏବଂ ଦିଲ୍ଲୀ ବସ୍ତିବାସିନ୍ଦା ବିଦ୍ୟୁତ, ପାନୀୟ ଜଳ, ପରିମଳ, ସ୍ବାସ୍ଥ୍ୟ ସେବା ଆଦି ସଙ୍କଟରେ ଅତ୍ୟଧିକ କ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଇଛି । ୧୯୦୧ ପରଠାରୁ ଚଳିତ ବର୍ଷ ଫେବ୍ରୁଆରୀରେ ସର୍ବାଧିକ ତାପମାତ୍ରା ପରିଲକ୍ଷିତ ହୋଇଥିବା ରିପୋର୍ଟରେ କୁହାଯାଇଛି ।