୬୦ ଅପରାଧ ଘଟାଇଥିବା ହିଷ୍ଟ୍ରୀ ସିଟର ବିକାଶ ଦୁବେ କିଏ ?

ଲକ୍ଷ୍ନୌ: ଅପରାଧର ଅନ୍ୟ ନାଁ ବିକାଶ ଦୁବେ । ଲୁଟ୍, ଡକାୟତି, ମର୍ଡର ଭଳି ଜଘନ୍ୟ ଅପରାଧରେ ଜଡ଼ିତ ବିକାଶ ଦୁବେ । ପଞ୍ଚାୟତ ନିର୍ବାଚନରୁ ଲୋକସଭା ଭୋଟିଂ ସବୁଠି ଯାହାର ଦବଦବା । ବୁଲେଟ୍ ଦେଖାଇ ବାଲାଟ ବା ଭୋଟ୍ ଗୋଟାଉଥିବା ଅପରାଧୀ । ସମାଜବାଦୀ ପାର୍ଟି, ବହୁଜନ ସମାଜ ବାଦୀ ପାର୍ଟି ଓ ବିଜେପିର ବଡ଼ ନେତାଙ୍କ ସହ ସମ୍ପର୍କ ରଖିଥିବା ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ବିକାଶ ଦୁବେ ।

୨୦୦୧ ମସିହାରେ ବିକାଶ ଦୁବେ ବିଜେପି ସରକାରର ଜଣେ ମନ୍ତ୍ରୀଙ୍କୁ ଥାନା ଭିତରେ ଗୁଳି ମାରି ହତ୍ୟା କରିଥିଲା । ହାଇ ପ୍ରୋଫାଇଲ୍ ମର୍ଡର ପରେ କୋର୍ଟରେ ଆତ୍ମସମର୍ପଣ କରିଥିଲା ବିକାଶ ଦୁବେ । ସରେଣ୍ଡରର କିଛି ମାସ ପରେ ଜାମିନରେ ବାହାରକୁ ଆସିଥିଲା । ଏହାପରେ ରାଜନେତାଙ୍କ ସହ ମିଶି ମାରିଥିଲା ରାଜନୀତିରେ ଏଣ୍ଟ୍ରି । ନଗର ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇଥିଲା । ମାୟାବତୀଙ୍କ ଶାସନ କାଳରେ ବିକାଶ ଦୁବେର ଅପରାଧ ରାଜ ବେଶ୍ ସକ୍ରିୟ ଥିଲା ।

ଥାନାରେ ମନ୍ତ୍ରୀଙ୍କୁ ହତ୍ୟା

ଏବେର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୟୁପିର ମୁଖ୍ୟମନ୍ତ୍ରୀ ଥିବାବେଳେ ବିକାଶ ଦୁବେ, ମନ୍ତ୍ରୀ ସନ୍ତୋଷ ଶୁକ୍ଳାଙ୍କୁ ହତ୍ୟା କରିଥିଲା । ୨୦୦୧ ମସିହାରେ ସନ୍ତୋଷ ଏକ ସଭାରେ ଭାଷଣ ଦେଉଥିବା ବେଳେ ସେଠାରେ ଗ୍ୟାଙ୍ଗ ସହ ପହଞ୍ଚିଥିଲା ବିକାଶ । ଗୁଳି ଚାଳନା କରିବା ପରେ ସନ୍ତୋଷ ଶୁକ୍ଳା ଜୀବନ ବଞ୍ଚାଇବାକୁ ଶିବଲି ଥାନାରେ ପଶି ଯାଇଥିଲେ । ସେଠାରେ ବିକାଶ ଲକଅପ୍ ଭିତରେ ଗୁଳିକରି ସନ୍ତୋଷ ଶୁକ୍ଳାକୁ ହତ୍ୟା କରିଥିଲା ।

ପରେ ୟୁପି ସରକାର ବିକାଶ ଦୁବେ ମୁଣ୍ଡରେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ପୋଲିସର ଏନକାଉଣ୍ଟର ଭୟରେ ସେ ବିଜେପି ନେତାଙ୍କ ସହ ସମ୍ପର୍କ କରି କୋର୍ଟରେ ଆତ୍ମସମର୍ପଣ କରିଥିଲା । ପରେ ଜେଲରୁ ବାହାରି ଆତଙ୍କରାଜ ଚଳାଇଥିଲା ।

ପୋଲିସ ଉପରେ ଅପରାଧୀଙ୍କ ହମଲା, ଡେପୁଟି ଏସପିଙ୍କ ସମେତ ୮ ସହିଦ

Leave a Reply