ମାନସିକ ବିକାରଗ୍ରସ୍ତ ଯୁବତୀ ଗର୍ଭଧାରଣ ପ୍ରସଙ୍ଗ: ତୁରନ୍ତ କ୍ଷତିପୂରଣ ପାଇଁ ହାଇକୋର୍ଟର ରାୟ

କଟକ: କୁଜଙ୍ଗ ଭିନ୍ନକ୍ଷମ ମାନସିକ ବିକାରଗ୍ରସ୍ତ ଯୁବତୀ ଗର୍ଭଧାରଣ ପ୍ରସଙ୍ଗ ଉପରେ ଓଡିଶା ହାଇକୋର୍ଟ ଐତିହାସିକ ରାୟ ଦେଇଛନ୍ତି । ଅବିବାହିତ ପୀଡିତା ଅନୈତିକ ଗର୍ଭଧାରଣ କରିବା ପରେ ତାଙ୍କ ମାଆ ଗର୍ଭ ନଷ୍ଟ ପାଇଁ ହାଇକୋର୍ଟ ରେ ଆବେଦନ କରିଥିଲେ । ତେବେ ହାଇକୋର୍ଟ ପୀଡିତା ଗର୍ଭଧାରଣକୁ ୧୬ ସପ୍ତାହ ଅତିକ୍ରମ କରି ଯାଇ ଥିବାରୁ ଗର୍ଭ ନଷ୍ଟ ପାଇଁ ମନା କରିଛନ୍ତି ।
ଅନ୍ୟ ପକ୍ଷରେ ତୁରନ୍ତ ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ପ୍ରସବ ପରେ ପୁଅ ହେଲେ ୩ ଲକ୍ଷ ଓ ଝିଅ ହେଲେ ୫ ଲକ୍ଷ କ୍ଷତିପୂରଣ ପିଲାକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୀଡିତାଙ୍କୁ ୭ ଦିନ ମଧ୍ୟରେ କ୍ଷତିପୂରଣ ଓ ପ୍ରସବର ୧୦ ଦିନ ମଧ୍ୟରେ ପିଲାକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପ୍ରସବ ପର୍ଯ୍ୟନ୍ତ ଚିକିତ୍ସା ଓ ପ୍ରସବ ଦାୟିତ୍ୱ ସରକାର ନେବେ ବୋଲି ହାଇକୋର୍ଟ କହିଛନ୍ତି । ଚିକିତ୍ସା ଓ ପ୍ରସବ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ଏସସିବିରେ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।