SCBରେ ଐତିହାସିକ ଅପରେସନ୍, ମଣିଷ ଶରୀରରୁ ବାହାରିଲା ୨ କେଜି ଟ୍ୟୁମର

କଟକ: ଏସସିବି ମେଡିକାଲର ଚିକିତ୍ସା ଇତିହାସରେ ଯୋଡ଼ିହେଲା ଆଉଏକ ସଫଳ ଅଧ୍ୟାୟ । କିଡନୀ କର୍କଟ ରୋଗରେ ପୀଡିତ ଜଣେ ରୋଗୀ ଶରୀରରୁ ଅପରେସନ କରି କଢାଯାଇଛି ୨ କିଲୋ ଓଜନର ଟ୍ୟୁମର । ହୃତପିଣ୍ଡରୁ ମାତ୍ର ଏକ ସେଣ୍ଟିମିଟର ଦୂରରେ ଥିବା ଏହି ଟ୍ୟୁମରକୁ ବାହାର କରିବା ପ୍ରାୟତଃ ଅସମ୍ଭବ ଥିଲା । ତେବେ ୟୁରୋଲୋଜି ଓ କାଡିଓଥୋରାସି ବିଭାଗ ଡାକ୍ତରଙ୍କ ମିଳିତ ଉଦ୍ୟମରେ ଏସସିବିରେ ପ୍ରଥମଥର ପାଇଁ ଏହା ସଫଳ ହୋଇପାରିଛି ।

ସରକାରଙ୍କ ସୁଦୃଢ଼ ଭିତ୍ତିଭୂମି ପାଇଁ ଏହା ସମ୍ଭବପର ହୋଇପାରିଥିବା କହିଛନ୍ତି ଡାକ୍ତରୀ ଟିମ୍ । ଭଦ୍ରକ ଜିଲ୍ଲାର ଅଲେଖ ବେହେରା ଦୀର୍ଘ ଦିନ ଧରି କିଡନୀ ରୋଗରେ ଚିକିତ୍ସିତ ହେଉଥିଲେ । ଗତ କିଛିଦିନ ତଳେ ଶରୀର ଅତ୍ୟନ୍ତ ଅସୁସ୍ଥ ହୋଇ ପଡିବାରୁ ପରୀକ୍ଷା ପରେ ହୃତପିଣ୍ଡକୁ ଲାଗି ଟ୍ୟୁମର ବଢୁଥିବା ଜଣା ପଡିଥିଲା । ଗୁରୁତର ଅବସ୍ଥାରେ ଏସସିବି ପହଁଚିବା ପରେ ଡାକ୍ତରଙ୍କ ସହଯୋଗରେ ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି । ଏଥିପାଇଁ ପରିବାର ଲୋକ ଡାକ୍ତର ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।