ପୌର ନିର୍ବାଚନରେ ବିଜେଡିକୁ ଐତିହାସିକ ବିଜୟ

ଭୁବନେଶ୍ବର: ଚାଲିଛି ପୌର ନିର୍ବାଚନ ଭୋଟ ଗଣତି । ସମୟ ବଢିବା ସହ ଐତିହାସିକ ବିଜୟ ଆଡକୁ ଆଗ୍ରସର ହେଉଛି ବିଜେଡି । ୩ ମହାନଗର ନିଗମ ମଧ୍ୟରୁ ବ୍ରହ୍ମପୁରରେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟ ହାସଲ କରିଛନ୍ତି । କଟକ ଓ ଭୁବନେଶ୍ବର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ବହୁ ଭୋଟରେ ଆଗୁଆ ଥିବାରୁ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଛି । ସେହିପରି ୩୦ ଜିଲ୍ଲାର ୧୦୫ ପୌର ପରିଷଦ ଗଣତି ଶେଷ ହୋଇଛି । ବିଜେଡି ୭୩ଟି ଅଧ୍ୟକ୍ଷ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୧୬, କଂଗ୍ରେସ ୭ଟି ଆସନରେ ବିଜୟୀ ହୋଇଛନ୍ତି । ସ୍ବାଧୀନଙ୍କ ଖାତାକୁ ୯ଟି ଅଧ୍ୟକ୍ଷ ଆସନ ଯାଇଛି ।

ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ୨୦ ହଜାର ୨୮୬ ଭୋଟରେ ବିଜୟୀ ହୋଇଛନ୍ତି । ସଂଘମିତ୍ରା ମୋଟ ୬୬ ହଜାର ୬୮ ଖଣ୍ଡ ଭୋଟ ପାଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସବିତା ସୁଆର ୪୫ ହଜାର ୭୮୨ ଭୋଟ ପାଇଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ଆପ୍ ପ୍ରାର୍ଥୀ ସି. ସ୍ରିୟଙ୍କା । ତାଙ୍କୁ ୭ ହଜାର ୪୫୩ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମଞ୍ଜୁ ରଥଙ୍କୁ ୬ ହଜାର ୭୬୮ ଭୋଟ ମିଳିଛି ।

କଟକରେ ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ଏବଂ ଭୁବନେଶ୍ବର ମେୟର ପ୍ରାର୍ଥୀ ସୁଲୋଚନା ଦାସ ଆଗୁଆ ଅଛନ୍ତି । ଏଠାରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ।

ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ବିଜେଡିକୁ ବିପୁଳ ସଫଳତା ମିଳିଛି । ଗାଁ ଭୋଟରଙ୍କ ପରି ସହରୀ ଭୋଟର ମଧ୍ୟ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଶାସନ ଉପରେ ଭରସା ଦେଖାଇଛନ୍ତି ।