ଅଦାଲତ କହିଲେ..ଉଲଗ୍ନ ହୋଇ ବୁଲିବା ବି ସାମ୍ବିଧାନିକ ଅଧିକାର !

1 min read

ନନ୍ଦିଘୋଷ ବ୍ୟୁରୋ: ଦୀପିକାଙ୍କ ବେସରମ୍ ଗେରୁଆ ପାଇଁ ଭାରତରେ ପାଲା ହୋଇଗଲା । ମେଡିଓକର ପଠାନ ବକ୍ସ ଅଫିସରେ ହଙ୍ଗାମା କରିଥାନ୍ତା କି ନାହିଁ ଅଲଗା କଥା କିନ୍ତୁ ଏହି ମାଗାଣା ବିବାଦ ତାକୁ ଢେର ପବ୍ଲିସିଟି ଦେଲା । ବିବାଦ ପରେ ଟିକେଟରେ ବଦଳିଗଲା । ଏବେ ଯଦି ଆପଣ କହିବେ ରାସ୍ତାରେ ଉଲଗ୍ନ ହୋଇ ବୁଲିବା ମୋ ଅଧିକାର ତେବେ କ’ଣ ହେବ ? ଆପଣ ଙ୍କ ପଛରେ ପାଗଳ ଟ୍ୟାଗଲାଇନ୍ ଲାଗିଯିବ । ସୋସିଆଲ ମିଡିଆରେ ଟ୍ରୋଲିଂର ଶିକାର ହେବେ । କିନ୍ତୁ ଯଦି ଅଦାଲତ କହିବେ ଯେ, ଉଲଗ୍ନ ହୋଇ ବୁଲିବା ମଧ୍ୟ ଜଣକର ଅଧିକାର ତେବେ କ’ଣ କହିବେ ?

ହୁଏତ ଅଦାଲତଙ୍କ ଏହି ମନ୍ତବ୍ୟ ଶୁଣି ଉର୍ଫି ଜାଭେଦ,ପୁନମ ପାଣ୍ଡେଙ୍କ ଭଳି ବ୍ୟକ୍ତି ଖୁସିରେ ମିଠେଇ ବାଣ୍ଟିବେ । ତେବେ ଉର୍ଫି ଓ ପୁନମଙ୍କ ଖୁସୀରେ ଫୁଲଷ୍ଟପ୍ ଦେଇ ଆମେ କହିବାକୁ ଚାହୁଁଛୁ ଯେ, ଭାରତର କୌଣସି ଅଦାଲତ ଏମିତି ମନ୍ତବ୍ୟ ଦେଇନାହାନ୍ତି । ଏଭଳି ରାୟ ସ୍ପେନର ହାଇକୋର୍ଟ୍ ଶୁଣାଇଛନ୍ତି । ତେଣୁ ପୁନମ୍ ଓ ଉର୍ଫିଙ୍କୁ ଏବେ ବି ଯାହା କିଛି ଅଳ୍ପ ସେମାନେ ପିନ୍ଧୁଛନ୍ତୁ ତାକୁ ପିନ୍ଧି ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ ।

ଘଟଣା ହେଉଛି ଏମିତି । ଇଏ ହେଉଛନ୍ତି ଏଲେଜାଣ୍ଡ୍ରୋ କୋଲୋମାର । ବୟସ ୨୯ ।ୟାଙ୍କୁ ଉର୍ଫି ଓ ପୁନମଙ୍କ ପ୍ରୋ-ଭର୍ସନ ବୋଲି ମଧ୍ୟ ଆପଣ କହିପାରିବେ । କାରଣ ଏହି ମହାଶୟ ଜଣକ ଅନେକ ଦିନ ଧରି ସ୍ପେନର ଏକ ସହର ଆଲାଦିଆରେ ଉଲଗ୍ନ ହୋଇ ବୁଲୁଥିଲେ । ୨୦୨୦ରେ ଏଲେଜାଣ୍ଡ୍ରୋ ଏମିତି ବୁଲୁଥିଲେ । ଏଲେଜାଣ୍ଡ୍ରୋଙ୍କୁ ସିନା ଲାଜ ନଥିଲା କିନ୍ତୁ ସହର ପୋଲିସକୁ ତାଙ୍କର ଏଭଳି ନାଗାବାବା ରୂପ ଦେଖି ମାଡି଼ ପଡିଲା । ବାସ,ପୋଲିସ ତାଙ୍କ ବିରୋଧରେ ମାମଲା ଠୁଙ୍କି ଦେଲା । ନିମ୍ନ ଅଦାଲତରେ କେସ୍ ଚାଲିଲା । ଅଦାଲତ ମାମଲା ଶୁଣୁଶୁଣୁ କହିଲେ ଏଲେଜାଣ୍ଡ୍ରୋ ..ଗିଲ୍ଟି.. ମାନେ ଦୋଷୀ ।

ଏମିତି ଜଣେ ବିଚ୍ ରାସ୍ତାରେ ଲଙ୍ଗଳା ହୋଇ ବୁଲି ପାରିବ ନାହିଁ ।କିନ୍ତୁ ଏଲେଜାଣ୍ଡ୍ରୋ ଛାଡି଼ବା ଲୋକ ନୁହନ୍ତି । ସିଧା ଚାଲିଲେ ହାଇକୋର୍ଟ୍ । ସେଠିକି ବି ବାବୁ କେବଳ ଯୋତା ପିନ୍ଧି ଯାଇଥିଲେ । ଦେହରେ କପଡା ନଥିଲା । ହାଇକୋର୍ଟରେ ଏଲଜେଣ୍ଡ୍ରୋ ନିଜ ପକ୍ଷ ରଖି କହିଲେ ଯେ, ତାଙ୍କୁ ପୋଷାକ ପିନ୍ଧିବାକୁ ବାଧ୍ୟ କରିବା ତାଙ୍କ ସ୍ୱତନ୍ତ୍ରତା ଅଧିକାରର ହନନ । ହାଇକୋର୍ଟଙ୍କୁ ପଏଣ୍ଟ୍ ପସନ୍ଦ ଆସିଲା । ହାଇକୋର୍ଟ୍ ଜଜ୍ କହିଲେ,ନିମ୍ନ ଅଦାଲତ ଭୁଲ ରାଏ ଦେଇଛନ୍ତି । ଡ୍ରେସ୍ ପିନ୍ଧିବେ କି ନାହିଁ ତାହା ଏଲେଜାଣ୍ଡ୍ରୋଙ୍କ ଇଛା ଉପରେ ନିର୍ଭର କରେ । ତାଙ୍କୁ କେହି ବାଧ୍ୟ କରିପାରିବେ ନାହିଁ । ଅବଶ୍ୟ ହାଇକୋର୍ଟ୍ ଏହା କହିଛନ୍ତି ଯେ,ଏଲେଜାଣ୍ଡ୍ରୋ କେବଳ ନିଜ ଗାଁ ପାଖରେ ହିଁ ଏମିତି ବିନା କପଡାରେ ବୁଲି ପାରିବେ ।

ଏଠି ଗୋଟିଏ କଥା କହିବାକୁ ଚାହୁଁ । ସ୍ପେନରେ ନଗ୍ନ ହୋଇ ବୁଲିବା ଆଇନଗତ ଭାବେ ବୈଧ । ତେବେ ବାର୍ସିଲୋନା ଭଳି କିଛି ସହରରେ ନଗ୍ନ ହୋଇ ବୁଲି ପାରିବେ ନାହିଁ । ଏଥିପାଇଁ ଗିରଫ ହେବାକୁ ପଡି଼ପାରେ । ଏବେ ଆପଣ କୁହନ୍ତୁ ଏଲଜାଣ୍ଡ୍ରୋ ଠିକ୍ ନା ନିମ୍ନ ଅଦାଲତ ।