ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ଆହୁରି ୪ ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପୁଣି ବଢ଼ିଲା ହୀରାକୁଦର ଜଳସ୍ତର । ହୀରାକୁଦରେ ଜଳସ୍ତର ବଢୁଥିବାରୁ ଆଉ ୪ଟି ଗେଟ୍ ଖୋଲାଯାଇଛି । ଫଳରେ ବର୍ତ୍ତମାନ ହୀରାକୁଦରୁ ୨୪ଟି ଗେଟି ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ନଦୀବନ୍ଧର ବାମପଟରୁ ୧୬ଟି ଓ ଡାହାଣ ପାର୍ଶ୍ବରୁ ୮ଟି ଗେଟ୍ ଦେଇ ପାଣି ଛଡାଯାଉଛି ।

ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୪ ଲକ୍ଷ ୩୫ ହଜାର ୩୦୩ ଘନଫୁଟ ଜଳ । ସେହିପରି ନିଷ୍କାସିତ ହେଉଛି ୪ ଲକ୍ଷ ୯୫ ହଜାର ଘନଫୁଟ ଜଳ । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୬ ଦଶମିକ ୯୧ ଫୁଟରେ ପହଞ୍ଚିଛି । ଆବଶ୍ୟକ ହେଲେ ଅଧିକ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି । ଅନ୍ୟପଟେ ଆଜି ସମ୍ବଲପୁର ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଲଘୁଚାପ ପ୍ରଭାବରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଏମିତି ବର୍ଷା ଲାଗି ରହିଲେ ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ଷା ଓ ବନ୍ୟାକୁ ନଜରରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି ।