ଆସନ୍ତା ୧୮ରେ ଖୋଲିବ ହୀରାକୁଦ ଜଳଭଣ୍ଡାର

ଭୁବନେଶ୍ୱର: ଆସନ୍ତା ୧୮ତାରିଖରେ ଖୋଲିବ ହିରାକୁଦ ଜଳଭଣ୍ଡାର । ଦିନ ୧୧ଟାରେ ହୀରାକୁଦରୁ ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ । ତଳମୁଣ୍ଡରେ ଥିବା ୧୨ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ହୋଇଛି । ଏଥିପାଇଁ ମହାନଦୀ ଓ ତାର ଶାଖା ନଦୀ ଗୁଡ଼ିକରେ ଜଳସ୍ତର ବଢ଼ିବ । ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାର ରାଇଜିଂ ଟ୍ରେଣ୍ଡରେ ଅଛି । ହେଲେ ବିପଦ ନାହିଁ। ଆଜି ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୭.୭୩ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ, ନିଷ୍କାସିତ ହେଉଛି ୩୧ ହଜାର ୮୪୭ କ୍ୟୁସେକ ଜଳ ।

ଏପଟେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷାରୁ ନାହିଁ ନିସ୍ତାର । ଉପକୂଳ ଓଡ଼ିଶାରେ ସକ୍ରିୟ ଥିବା ଲଘୁଚାପ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିଛି । ଲଘୁଚାପ ପ୍ରଭାବରେ ଭୋର ୪ଟାରୁ ଉପକୂଳ ଓଡ଼ିଶାରେ ଜାରି ରହିଛି ଲଗାଣ ବର୍ଷା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୭ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ପାଇଁ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହିଥିବାରୁ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।