ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍, ଜଳଭଣ୍ଡାରର ସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନ

ସମ୍ୱଲପୁର : ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍ । ଗେଟ୍ ଖୋଲାଯିବା ସମୟରେ ଡ୍ରୋନ ଉଡ଼ାଇ ଭିଡିଓ ରେକର୍ଡ କଲେ ବ୍ଲଗର । ମିଷ୍ଟର ଓଡିଆ ବ୍ଲଗର ନାମକ ଏକ ଆକାଉଣ୍ଟରେ ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡ଼ାଇ ଏହାର ଭିଜୁଆଲ ପୋଷ୍ଟ ହୋଇଛି । ଡ୍ୟାମ , ସ୍ପିଲ ଓ୍ବେ ଉପରେ ଡ୍ରୋନ ଉଡ଼ିଥିବା ଜଣାପଡ଼ିଛି । ଏପରିକି ଡ୍ୟାମର ସବୁ ଆଙ୍ଗେଲରୁ ଭିଜୁଆଲ ନିଆଯାଇଛି । ଯାହାକି ସମ୍ପୂର୍ଣ୍ଣ ବେଆଇନ ।

ହୀରାକୁଦରେ ଏଭଳି ଭିଡିଓ ଉତ୍ତୋଳନ ମନା ହୋଇଥିବାବେଳେ ଡ୍ରୋନ ଉଡ଼ିବା ଜଳଭଣ୍ଡାରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିଷିଦ୍ଧାଞ୍ଚଳକୁ ଗଣମାଧ୍ଯମ ପ୍ରତିନିଧିଙ୍କୁ ମନା ହୋଇଛି । କେବଳ ଡ୍ରୋନ ଉଡି ନାହିଁ ବରଂ ବାହାର ବ୍ଯକ୍ତିବିଶେଷ ଅପରେସନ ଗ୍ଯାଲେରୀ ଭିତରକୁ ପଶି କ୍ରେନ ଭିତରେ ଫଟୋ ପୋଜ୍ ଦେଇଥିବା ଭିଡିଓ ବି ଭାଇରାଲ ହେଉଛି । ଗେଟ୍ ଖୋଲିବା ସମୟରେ ସବୁ ପ୍ରକାର ସୁରକ୍ଷା ବ୍ଯବସ୍ଥାକୁ ମୋଡି ମକଚି ଦେଇ ଅଣଅଧିକୃତ ବ୍ଯକ୍ତି ବିଶେଷ କେମିତି ଅପରେସନ ଗ୍ଯାଲେରୀରେ ପଶିଲେ ସେନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।