ସୁଧୁରୁଛି ବନ୍ୟା ସ୍ଥିତି, ୧୦ ଗେଟ୍‌ ଦେଇ ଛଡାଯାଉଛି ବନ୍ୟାଜଳ

ସମ୍ବଲପୁର: ହୀରାକୁଦରେ ବନ୍ଦ ହେଲା ଆଉ 6 ଗେଟ୍ । ଏବେ ୧୦ଟି ଗେଟ୍ ଦେଇ ଛଡ଼ାଯାଉଛି ବନ୍ୟାଜଳ । ବାମପଟୁ 6, ଦକ୍ଷିଣ ପଟୁ 4ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଆହୁରି ହୀରାକୁଦର ଜଳସ୍ତର କମିବା ନେଇ ଅନୁମାନ କରାଯାଉଛି  । ଏହାପୂର୍ବରୁ ହୀରାକୁଦ ଜଳସ୍ତର ୬୨୦.୭୧ ଫୁଟ ରହିଥିଲା । ଜଳଭଣ୍ଡାରକୁ ଲକ୍ଷେ ୮୩ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ଲକ୍ଷ ୫୪ହଜାର ୬ଶହ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା ।

ମୁଣ୍ଡଳୀରେ ୮ ଲକ୍ଷ ୫୭ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ସନ୍ଧ୍ୟା ସୁଦ୍ଧା ୮ ଲକ୍ଷକୁ ଖସି ଆସିବା ସମ୍ଭାବନା ଥିବା କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ଗତକାଲି ସକାଳ ୯ଟା ବେଳକୁ ୯ ଲକ୍ଷ ୫୬ ହଜାର ଜଳ ପାସ୍ କରୁଥିଲା । ଆଗକୁ ଆହୁରି ସ୍ଥିତି  ସୁଧୁରିବ । ଏବେ ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦୁଝରରେ ବର୍ଷା ହୋଇଛି । ନଦୀ ଜଳସ୍ତର ବଢ଼ିବା ନେଇ ସୂଚନା ନାହିଁ  ।

ଜଳକା ବିପଦ ସଙ୍କେତ ଉପରେ ଥିବାବେଳେ କାଶୀନଗରରେ ମଧ୍ୟ ବିପଦସଙ୍କେତ ଉପରେ ନଦୀ ଜଳସ୍ତର । ଗତକାଲି ଛତିଶଗଡ଼ରେ ବିଶେଷ ବର୍ଷା ହୋଇନି  ।  ସେପଟେ ବନ୍ୟା ପ୍ରଭାବିତ ଜିଲ୍ଲାରେ ରିଲିଫ ଓ ପୁନଃ ଥଇଥାନ କାର୍ଯ୍ୟକୁ ଜୋରଦାର କରିଛି ପ୍ରଶାସନ । ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବା କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ରିଲିଫ ଯୋଗାଇ ଦିଆଯାଉଛି ।