ହିଞ୍ଜିଳି ପିତ୍ତଳ ଛକରେ ୪ ଜଣଙ୍କୁ ପିଟିପିଟି ହତ୍ୟା ମାମଲା, ପାଞ୍ଚ ଜଣଙ୍କୁ ବାନ୍ଧିଲା ପୋଲିସ

ଗଞ୍ଜାମ: ହିଞ୍ଜିଳି ପିତ୍ତଳ ଛକରେ ୪ ଜଣଙ୍କୁ ନିର୍ମମ ଭାବରେ କାଠ ଫାଳିଆରେ ହତ୍ୟା ମାମଲା । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ବ୍ରିଜେଶ ରାୟ । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ସାଧୁ, ବାହନପତି, ବଳିଆ, ଚିତ୍ରସେନ ଏବଂ ସନ୍ତୋଷ । ତଦନ୍ତ ବେଳେ ହତ୍ୟାରେ ବ୍ୟବହୃତ କାଠ ଫାଳିଆ ଜବତ କରାଯାଇଛି । ଏହା ସହ ରକ୍ତ ଲାଗିଥିବା ଲୁହା ରଡ୍‌, ଦୁଇଟି ବାଇକ୍‌ ଜବତ କରିଛି ପୋଲିସ । ତେବେ ଏହି ମାମଲାରେ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି ବୋଲି କହିଛନ୍ତି ଗଞ୍ଜାମ ଏସପି ବ୍ରିଜେଶ ରାୟ ।

ସୂଚନା ଅନୁସାରେ ଗତ ୨୨ ତାରିଖ ରାତିରେ ହିଞ୍ଜିଳି ଥାନା ପିତ୍ତଳ ଛକ ନିକଟରେ ଘଟିଥିଲା ଏକ ଲୋମଟାଙ୍କୁରା ଘଟଣା । ଗତ ୨୨ତାରିଖ ରାତିରେ ଫାଷ୍ଟଫୁଡ ଦୋକାନରେ ସାମାନ୍ୟ ବଚସାରୁ ଚାରି ଜଣଙ୍କୁ କାଠ ଫାଳିଆରେ ପିଟି ପିଟି ନିର୍ମମ ହତ୍ୟା କରିଥିଲେ ଅଭିଯୁକ୍ତ । ନରେନ୍ଦ୍ରପୁର ଗାଁର ରାଜା ସ୍ୱାଇଁ, ଶମ୍ଭୁ ସ୍ୱାଇଁ, ପାଣ୍ଡବ ସ୍ୱାଇଁ ଓ ଚନ୍ଦନ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିଲା । ହତ୍ୟା ପରେ ଅଭିଯୁକ୍ତଙ୍କୁ ଗିରଫ ଦାବି ରାସ୍ତାରୋକ ମଧ୍ୟ କରାଯାଇଥିଲା । କିନ୍ତୁ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ସେଦିନ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶୃତି ଦେଇଥିଲା ।