ଅପହରଣ ପରେ ହତ୍ୟା ! ବାଂଲାଦେଶରେ ହିନ୍ଦୁ ନେତାଙ୍କୁ ପିଟିପିଟି ହତ୍ୟା ..

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ବଢିଚାଲିଛି ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର । ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ହିଂସା ବନ୍ଦ ହେବାର ନାଁ ନାହିଁ । ଏଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ନିୟମିତ ଭାବରେ ଟାର୍ଗେଟ କରାଯାଉଛି । ଗାଦି ପରିବର୍ତ୍ତନ ହେବା ପରଠାରୁ ଅନେକ ହିନ୍ଦୁଙ୍କୁ ହତ୍ୟା କରାଯାଇଛି ଏବଂ ଅନେକ ହିନ୍ଦୁ ଜେଲରେ ଅଛନ୍ତି । ତେବେ ଏହାରି ଭିତରେ ପୁଣି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ବାଂଲାଦେଶର ଦିନାଜପୁର ଜିଲ୍ଲାରେ, ହିନ୍ଦୁ ସମ୍ପ୍ରଦାୟର ଜଣେ ପ୍ରମୁଖ ନେତାଙ୍କୁ ଘରୁ ଅପହରଣ କରାଯାଇ ନିର୍ମମ ଭାବରେ ପିଟିପିଟି ହତ୍ୟା କରାଯାଇଛି। ପୋଲିସର ସୂଚନା ଅନୁଯାୟୀ, ହିନ୍ଦୁ ନେତା ଭାବେଶ ଚନ୍ଦ୍ର ରାୟଙ୍କୁ ଘରୁ ଅପହରଣ କରାଯାଇଥିଲା । ପରେ ଗୁରୁବାର ତାଙ୍କର ମୃତଦେହ ମିଳିଥିଲା । ହିନ୍ଦୁ ନେତା ଜଣକ ବାଂଲାଦେଶ ପୂଜା ଉଦ୍ଜାପନ ପରିଷଦର ଉପାଧ୍ୟକ୍ଷ ଥିଲେ ଏବଂ ପ୍ରମୁଖ ହିନ୍ଦୁ ନେତା ଭାବେ ସେହି ଅଞ୍ଚଳରେ ବେଶ ପରିଚିତ ଥିଲେ ।
ତାଙ୍କ ଘରୁ କରାଯାଇଥିଲା ଅପହରଣ
ଭାବେଶ ଚନ୍ଦ୍ର ରାୟଙ୍କ ପତ୍ନୀ ଶାନ୍ତନାଙ୍କ ଅନୁଯାୟୀ, ସେ ତାଙ୍କ ଘରେ ଥିଲେ ଏବଂ ଅପରାହ୍ନ ପ୍ରାୟ ୪:୩୦ ସମୟରେ ତାଙ୍କୁ ଏକ ଫୋନ୍ ଆସିଥିଲା। ରିପୋର୍ଟରେ କୁହାଯାଇଛି ଯେ ରାୟ ତାଙ୍କ ଘରେ ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ କଲ୍ ଆସିଥିଲା । ସ୍ତ୍ରୀ କହିଥିଲେ ଯେ ପରେ ସେମାନେ ତାଙ୍କୁ ଅପହରଣ କରି ନିକଟସ୍ଥ ଏକ ଗାଁକୁ ନେଇଯାଇଥିଲେ। ଯେଉଁଠାରେ ତାଙ୍କୁ ନିର୍ମମ ଭାବରେ ମାଡ଼ ମରାଯାଇଥିଲା। ପରେ, ଆକ୍ରମଣକାରୀମାନେ ଭାବେଶଙ୍କୁ ଏକ ଭ୍ୟାନରେ ଆଣି ତାଙ୍କ ଘର ବାହାରେ ଫୋପାଡ଼ି ଦେଇ ପଳାଇଥିଲେ।
ପରିବାର ସଦସ୍ୟମାନେ ରାୟଙ୍କୁ ଘର ବାହାରେ ପଡ଼ିଥିବା ଦେଖିବା ମାତ୍ରେ, ତୁରନ୍ତ ଡାକ୍ତରଖାନାକୁ ନେଇଗଲେ ଯେଉଁଠାରେ ଡାକ୍ତର ରାୟଙ୍କୁ ମୃତ ଘୋଷଣା କଲେ। ମାମଲାର ତଦନ୍ତ ଚାଲିଥିବା ବେଳେ ପୋଲିସ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ଜୋରଦାର କାର୍ଯ୍ୟ କରୁଛି । ବାଂଲାଦେଶରେ ପୂର୍ବରୁ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି, ଯେତେବେଳେ ହିନ୍ଦୁ ପରିବାର ଏବଂ ସେମାନଙ୍କ ଘରକୁ ଟାର୍ଗେଟ କରାଯାଇଛି। ଶେଖ୍ ହସିନା ବାଂଲାଦେଶ ଛାଡିବା ପରଠାରୁ ଏପରି ଘଟଣା ବାରମ୍ବାର ଘଟୁଛି।