ହିନ୍ଦୁ ପ୍ରେମିକାର ହତ୍ୟା ପରେ ମୁଣ୍ଡ କାଟିଦେଲା ପ୍ରେମିକ

ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ୱାକର ବିଭତ୍ସ ହତ୍ୟା ମାମଲା ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛି । ଲିଭ୍ ଇନ ସାଥୀ ତଥା ପ୍ରେମିକ ଅଫତାବ ଅମିନ ପୁନାୱାଲା ଶ୍ରଦ୍ଧାଙ୍କ ହତ୍ୟା ପରେ ଶରୀରକୁ ୩୫ ଖଣ୍ଡ କରି ଜଙ୍ଗଲରେ ଫୋପାଡ଼ି ଦେଇଥିଲା । ୬ମାସ ପରେ ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଆକ୍ରୋଶ ଦେଖା ଦେଇଛି । ସଇତାନ ପ୍ରେମିକ ଅଫତାବକୁ ଫାଶୀଦଣ୍ଡ ଦେବା ପାଇଁ ଦାବି କରାଯାଇଛି । ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ ଜୋର ସୋରରେ ଚଳାଇଛି । ଅଫତାବକୁ ରିମାଣ୍ଡରେ ଆଣି ପ୍ରମାଣ ଜୁଟାଇବାରେ ଲାଗିଛି ପୋଲିସ ।

ଏହି ଘଟଣା ଏବେ ଲୋକଙ୍କ ମନରୁ ଲିଭି ନଥିବା ବେଳେ ଆଉ ଏକ ଅପତାବର ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି । ତେବେ ଘଟଣାଟି ଭାରତର ପଡ଼ୋଶୀ ଦେଶ ବାଂଲାଦେଶରୁ ଆସିଛି । ସୂଚନାନୁସାରେ, ନିଜ ଲିଭ୍ ଇନ ପାର୍ଟନର ସହ ମିଶି ଅଭିଯୁକ୍ତ ହିନ୍ଦୁ ଯୁବତୀଙ୍କ ହତ୍ୟା କରିଛି ଏବଂ ମୃତଶରୀରକୁ ଖଣ୍ଡ ବିଖଣ୍ଡିତ କରିଦେଇଛି । ଅଭିଯୁକ୍ତକୁ ଗିରଫ କରାଯାଇଛି । ବାଂଲାଦେଶରେ ଘଟିଥିବା ଏହି ଜଘନ୍ୟ କାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ବାଂଲାଦେଶର ରାପିଡ ଆକ୍ସନ ଆର୍ମି ଅବୁ ବକର ନାମକ ଏକ ବ୍ୟକ୍ତିକୁ ଗିରଫ କରି ତଦନ୍ତରେ ଲାଗିଛି ।

ବାଂଲାଦେଶ ମିଡିଆ ରିପୋର୍ଟ ଅନୁସାରେ, ୬ ନଭେମ୍ବରରେ ଅବୁ ବକର କାମକୁ ନଆସିବାରୁ ଏବଂ ଫୋନରେ ତାକୁ ଯେତବେଳେ ସମ୍ପର୍କ କରାଗଲା ତେବେ ସମ୍ପର୍କ ହୋଇପାରିଲା ନାହିଁ । ଏହାପରେ ଟ୍ରାନ୍ସପୋର୍ଟ କମ୍ପାନୀ ମାଲିକ ଅନ୍ୟ ଏକ କର୍ମଚାରୀଙ୍କୁ ସୂଚନା ପାଇଁ ବକର ରହୁଥିବା ଭଡ଼ା ଘରକୁ ପଠାଇଥିଲେ ।କର୍ମଚାରୀ ଜଣଙ୍କ ସେଠାକୁ ଯିବା ପରେ ଦେଖିଥିଲେ ଘରେ ତାଲା ଲାଗିଥିଲା । ଏହାପରେ ଜଣାପଡ଼ିଥିଲା ଯେ ସେ ନିଖୋଜ ଅଛି ।

ସୂଚନା ପାଇ ପୋଲିସ ଘର ତାଲା ଭାଙ୍ଗି ଘର ଭିତରେ ଯାହା ଦେଖିଥିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ପୋଲିସ ଦେଖିବାକୁ ପାଇଥିଲା ଯେ ଏକ ଡ୍ରମରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶରୀର ଥିଲା । ପଲିଥିନରେ ଗୁଡ଼ାଯାଇ କଟା ମୁଣ୍ଡ ଅଲଗା ରଖାଯାଇଥିଲା । ଶରୀରରୁ ହାତ କଟାଯାଇଥିଲା । ପୀଡିତାଙ୍କ ଚିହ୍ନଟ କବିତା ରାଣୀ ରୂପରେ ହୋଇଛି ।

୭ ନଭେମ୍ବରରେ ଅବୁ ବକରକୁ ତାର ଲିଭ ଇନ ପାର୍ଟନର ସପନା ସହ ଗିରଫ କରିଛି ପୋଲିସ । ବାଂଲାଦେଶର ରାପିଡ ଆକ୍ସନ ବାଟାଲିଅନ (ଆରଏବି)ର ଅଧିକାରୀ କହିଛନ୍ତି ଯେ, ଅବୁ ବକର ଏବଂ ସପନା ଗତ ଚାରି ବର୍ଷ ହେବ ଗୋବରଚାକା ସ୍କୋୟାର ଅଞ୍ଚଳରେ ଏକ ଭଡ଼ା ଘରେ ଲିଭ ଇନରେ ରହୁଥିଲେ । ନିକଟରେ ଅବୁ ବକର କବିତାଙ୍କ ସହ ମିଶିଥିଲା ଏବଂ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନୀଭୂତ ହୋଇଥିଲା । କୌଣସି କାରଣରୁ ବକର କବିତାଙ୍କୁ ହତ୍ୟା କରି ଶରୀରର ଅନେକ ଖଣ୍ଡ କରିଦେଇଥିଲା । ଅବୁ ବକର ୫ ନଭେମ୍ବରକୁ ନିଜର ଭଡ଼ା ଘରକୁ କବିତାଙ୍କୁ ଡକାଇଥିଲା ।

ସେ ସମୟରେ ସପନା କାମକୁ ଯାଇଥିଲା । କବିତା ଏବଂ ବକର ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ବକର ରାଗିଯାଇ କବିତାର ଗଳା ଚିପି ହତ୍ୟା କରିଥିଲା । ଏହାପରେ ମୁଣ୍ଡକୁ ଶରୀରରୁ ଅଲଗା କରିଦେଇଥିଲା । ଏଥିସହିତ ହାତ କାଟିଦେଇଥିଲା ଏବଂ ତାକୁ ନେଇ ଏକ ନାଳରେ ଫୋପାଡି଼ ଦେଇଥିଲା । ଫେରାର ହେବା ପୂର୍ବରୁ କଟା ମୁଣ୍ଡକୁ ପଲିଥିନରେ ଗୁଡ଼ାଇ ରଖି ଦେଇଥିଲା ଏବଂ ବାକି ଶରୀରକୁ ଏକ ଡ୍ରମରେ ବନ୍ଦ କରିଦେଇଥିଲା । ଏହାପରେ ଲିଭଇନ ପାର୍ଟନର ସପନାକୁ ନେଇ ଫେରାର ହୋଇଯାଇଥିଲା । ପୋଲିସ ତଦନ୍ତ କରି ଉଭୟଙ୍କୁ ଗିରଫ କରିଛି ।