ଆଜିଠୁ ଆରମ୍ଭ ଧର୍ମର ମାସ କାର୍ତ୍ତିକ, ମାସେ ଧରି ବ୍ରତ ପାଳିବେ ହବିଷ୍ୟାଳି

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ପବିତ୍ର ମହାକାର୍ତ୍ତିକ ବ୍ରତ । ହିନ୍ଦୁଧର୍ମରେ କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଆଜିଠୁ ମାସେ ଧରି ବ୍ରତ ପାଳିବେ ହବିଷ୍ୟାଳି । ସଙ୍କଳ୍ପ କରି ରାଧାଦାମୋଦର ପୂଜା ଓ କାର୍ତ୍ତିକ ବ୍ରତ ଆରମ୍ଭ କରିବେ । ରାଜ୍ୟସରକାରଙ୍କ ହବିଷ୍ୟାଳି ଯୋଜନାରେ ହବିଷ୍ୟାଳିଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହବିଷ୍ୟାଳି ଶିବିର ଉଦଘାଟନ କରିବେ । ବିଭିନ୍ନ ଜିଲ୍ଲାରୁ ୨ ହଜାର ୯୩୫ ଜଣ ହବିଷ୍ୟାଳି ପଞ୍ଜିକରଣ କରିଛନ୍ତି । ୫ଟି କେନ୍ଦ୍ରରେ ସେମାନଙ୍କ ରହିବା ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ବୃନ୍ଦାବତୀ ଭକ୍ତ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବାଗେଡ଼ିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ରହିଛନ୍ତି ହବିଷ୍ୟାଳି ।

ନୂତନ ଭାବେ ନିର୍ମିତ ବୃନ୍ଦାବତୀ ନିବାସରେ ପୁରୀ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ୧ ହଜାର ୬୦୪ ଜଣ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା ଓ ବାଗେଡିଆ ଧର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲାର ୭୩୦ ଜଣ, ମୋଚି ସାହି କଲ୍ୟାଣ ମଣ୍ଡପରେ ଅବଶିଷ୍ଟ ଜିଲ୍ଲାର ୬୦୧ ଜଣ ହବିଷ୍ୟାଳିଙ୍କ ରହଣି ବ୍ୟବସ୍ଥା କରାଯାଇଛି । ମାଗଣାରେ ରହଣି ସହିତ ସୁରକ୍ଷା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ, ପାଲା ଇତ୍ୟାଦି ବ୍ୟବସ୍ଥା ସହ ଚିକିତ୍ସା, ପରିମଳ, ପାନୀୟ ଜଳକୁ ଗୁରୁତ୍ବ ଦିଆଯାଇଛି ।