ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସଡିପିଓ, ରେଡ୍ ବେଳେ ଖୋଲୁଛି ଗୁମର

1 min read

ହିନ୍ଦୋଳ: ଭିଜିଲାନ୍ସ ପଞ୍ଝାରେ ହିନ୍ଦୋଳ ଏସଡିପିଓ । ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏସଡିପିଓ ମଳୟ କିଶୋର ନାୟକ । ଗିରଫ ପରେ ମଳୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚଢ଼ାଉ ବେଳେ ଏସଡିପିଓଙ୍କ ପୁଳା ପୁଳା ସମ୍ପତ୍ତି ଠାବ ହୋଇଛି । ଏସଡିପିଓଙ୍କ ନାମରେ ଅଧା ଓଡ଼ିଶାରେ ଫ୍ଲାଟ, ପ୍ଲଟ ରହିଛି । ଅନୁଗୁଳ, ସମ୍ବଲପୁର, ଭୁବନେଶ୍ବର, ପୁରୀରେ ଘର ଥିବା ବେଳେ ସମ୍ବଲପୁର ସରଳକଣାରେ ମଳୟଙ୍କର ପ୍ଲଟ ରହିଛି । ଆୟ ବହିର୍ଭୁତ ସମ୍ପତ୍ତିରେ ଅୟସ କରୁଥିଲେ ହିନ୍ଦୋଳ ଏସଡିପିଓ ମଳୟ କିଶୋର ନାୟକ । ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିବା ପରେ ଏସଡିପିଓଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାସ କରିଛି ଭିଜିଲାନ୍ସ । ଢେଙ୍କାନାଳ ସରକାରୀ କ୍ୱାର୍ଟର, ହିନ୍ଦୋଳ ସରକାରୀ କ୍ୱାର୍ଟର ସହ ଅନୁଗୁଳର ନିଜ ଘର, ଭୁବନେଶ୍ୱରରେ ଥିବା ଫ୍ଲାଟ, ପୁରୀରେ ଥିବା ଆପାର୍ଟମେଣ୍ଟ ଓ ସମ୍ବଲପୁରର ଏକ ଫ୍ଲାଟରେ ଏକକାଳୀନ ଚଢ଼ାଉ କରିଥିଲା ଟିମ୍ । ଚଢ଼ାଉ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଟିମ୍ ହାତରେ ଲାଗିଥିବା ବେଳେ ବ୍ୟାଙ୍କ ଜମାଖାତା, ଇନସ୍ୟୁରାନ୍ସ ପେପର ଆଦିର ଯାଞ୍ଚ କରାଯାଇଛି ।

ତେବେ ହିନ୍ଦୋଳ ସରକାରୀ କ୍ବାର୍ଟରରେ ଭିଜିଲାନ୍ସ ଟିମ୍ ପହଞ୍ଚିବା ପୂର୍ବରୁ ଏସଡିପିଓଙ୍କ ସ୍ତ୍ରୀ ବ୍ରିଫ୍‌କେସ ଓ ବ୍ୟାଗ୍‌ ଧରି ସେଠାରୁ ଫେରାର ହୋଇ ଯାଇଥିଲେ। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କ୍ବାର୍ଟର୍ସରେ ରେଡ୍‌ ଚାଲିଥିବା ବେଳେ ମଳୟଙ୍କ ସ୍ତ୍ରୀ ରୀତା ମହାପାତ୍ରଙ୍କୁ ଧରିବାକୁ ଚେଷ୍ଟା ଚାଲିଛି । ଅନଲାଇନ ଓ UPI ଟ୍ରାନଜାକ୍ସନର ଡିଟେଲ୍ସ ପାଇଁ ଭିଜିଲାନ୍ସ ସାଇବର ସେଲ ଓ ବ୍ୟାଙ୍କିଂ କନସଲଟାଣ୍ଟ କାମ ଆରମ୍ଭ କରିଛି । ପଥର ଖଣି ମାଲିକଙ୍କଠାରୁ ୩୦ ହଜାର ଟଙ୍କା ନେଉଥିବା ବେଳେ ମଳୟ ଧରାପଡ଼ିଥିଲେ । ୪ଟି କ୍ରସରରୁ ୧ ଲକ୍ଷ ୨୦ ହଜାର ଆଦାୟ କରିଥିଲେ ମଳୟ । ଭିଜିଲାନ୍ସ ମଳୟଙ୍କଠାରୁ ସବୁ ଲାଞ୍ଚ ଟଙ୍କା ଜବତ କରିଛି ।