ନେପାଳକୁ ଚୀନର ଚକମା : ସୀମା ବନ୍ଦ ,ନେପାଳକୁ ଆସିପାରୁନି ଜରୁରୀ ସାମଗ୍ରୀ

1 min read

କାଠମାଣ୍ଡୁ: ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଚୀନ ପ୍ରେମ ଏବେ ଦେଶବାସୀଙ୍କୁ ଅଡୁଆରେ ପକାଇଛି । ଭାରତ ସହ ବିନା କାରଣରେ ସୀମା ବିବାଦ ସୃଷ୍ଟି କରିଥିବା ନେପାଳକୁ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତା ଘାରିଛି । ଭାରତଠାରୁ କଟି ଚୀନ ହାତ ଧରିଥିବା ନେପାଳ ଗତ କେଇ ମାସ ହେବ  ଚୀନରୁ ଔଷଧ ସହ ଅନେକ ଅନ୍ୟ ଜରୁରୀ ସାମଗ୍ରୀ ଆମଦାନୀ କରୁଥିଲା । କିନ୍ତୁ ବର୍ଡ଼ର ଚେକପୋଷ୍ଟକୁ ଏବେ ଚୀନ  ବନ୍ଦ କରି ରଖିଛି । ଏହି କାରଣରୁ ଗତ ୮ରୁ ୯ ମାସ ହେବ ଚୀନ ରାସ୍ତା ଦେଇ ଆସୁଥିବା ନେପାଳର ଆବଶ୍ୟକୀୟ ସାମଗ୍ରୀ, ଔଷଧ ଏବଂ ଯନ୍ତ୍ରପାତି ସୀମାରେ ଫସି ରହିଛି । ଭାରତ ସହିତ ସମ୍ପର୍କରେ ତିକ୍ତତା ଆସିବା ପରେ ନେପାଳ ଜରୁରୀ ଜିନିଷ ପାଇଁ ଚୀନକୁ ସହାୟତା ମାଗିଥିଲା । କିନ୍ତୁ ସୁଯୋଗ ଦେଖି ଚୀନ ଧୋକା ଦେବ ଏହା ଓଲି ଜାଣି ନଥିଲେ । ଏବେ ନେପାଳ ବଜାରରେ ନିଆଁ ଲାଗିଛି । କାରଣ ଔଷଧ ଠାରୁ ଅନ୍ୟ ସାମଗ୍ରୀ ବଜାରରୁ ଉଭାନ ହୋଇ ଯାଇଛି କିମ୍ବା ଚଢା ଦରରେ ବିକ୍ରୀ ହେଉଛି ।

ଚୀନ ଏବଂ ନେପାଳ ଦ୍ୱିପାକ୍ଷୀୟ ବ୍ୟାପାର ପାଇଁ ରସୁବାଗଢୀ-କେରୁଙ୍ଗ ଏବଂ ତତୋପାନି ଖାସାରେ ବର୍ଡ଼ର ଚେକପୋଷ୍ଟ ନିର୍ମାଣ କରିଥିଲେ । ଏହି ରାସ୍ତାରେ ନେପାଳର ଔଷଧ, ଆବଶ୍ୟକୀୟ ଖାଦ୍ୟ ପଦାର୍ଥ ଏବଂ ଜରୁରୀ ସାମଗ୍ରୀ ପରିବହନ ହେଉଥିଲା । କରୋନା ସଂକ୍ରମଣର ବାହାନା ଦେଖାଇ ଚୀନ୍ ଜାନୁୟାରୀ ଠାରୁ ଏହି ଦୁଇ ଚେକପୋଷ୍ଟକୁ ବନ୍ଦ କରି ଦେଇଛି । ନେପାଳ ସରକାରଙ୍କ ବାରମ୍ବାର ଅନୁରୋଧ ପରେ ମଧ୍ୟ ଚୀନ ଉକ୍ତ ଚେକେପାଷ୍ଟକୁ ଖୋଲୁନାହିଁ ।

ନେପାଳର ଗଣମାଧ୍ୟମର ଖବର ଅନୁସାରେ ନେପାଳରେ ଚୀନର ଅଘୋଷିତ ଅବରୋଧ କାରଣରୁ ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ ହେବାରେ ସମସ୍ୟା ଦେଖାଯାଉଛି । ସିଙ୍ଗତି ହାଇଡ୍ରୋପାଓ୍ୱାର ପ୍ରକଳ୍ପ ସହିତ ଜଡ଼ିତ ଚୀନ ଉପକରଣ ଗତ ୮ ମାସ ହେବ ସୀମା ଚେକପୋଷ୍ଟରେ ଫସି ରହିଛି । ତେବେ ଯଥାଶୀଘ୍ର ଏହାକୁ ଖୋଲିବାକୁ ଅନୁରୋଧ କରିଛନ୍ତି ନେପାଳ ସରକାର ।

Leave a Reply