କଂଗ୍ରେସ କର୍ମୀଙ୍କ ମୃତଦେହ ଉଦ୍ଧାର ଘଟଣା : ହତ୍ୟା ପଛରେ ରହିଛି କି ଷଡ଼ଯନ୍ତ୍ର ?

1 min read

ନନ୍ଦିଘୋଷ ବ୍ୟୁରୋ: ହରିୟାଣା ରୋହତକରେ ମହିଳାଙ୍କୁ ବୀଭତ୍ସ ହତ୍ଯା। ଜଣେ ମହିଳାଙ୍କ ମୃତଦେହକୁ ସୁଟକେଶରୁ ଠାବ କରାଯାଇଛି। ବଡ଼କଥା ହେଉଛି ମୃତକ ହେଉଛନ୍ତି ଜଣେ କଂଗ୍ରେସ କର୍ମୀ ଏବଂ ଭାରତ ଯୋଡ ଯାତ୍ରା ସମୟରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ସାଥୀରେ ଥିଲେ। ରୋହତକର ସାମ୍ପଲା ବସଷ୍ଟାଣ୍ଡ ନିକଟରେ ଏକ ନୀଳ ରଙ୍ଗର ସୁଟକେଶରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକଙ୍କ ବୟସ ୨୨ରୁ ୨୩ ବର୍ଷ ହେବ। ତାଙ୍କ ହାତରେ ମେହେନ୍ଦୀ ଲାଗିଥିବାବେଳେ ବେକରେ ଏକ ଲୁଗା ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା। ସାମ୍ପଲା ଥାନାଅଧିକାରୀ ବିଜେନ୍ଦ୍ର ସିଂ କହିଛନ୍ତି- ମହିଳାଙ୍କୁ ହତ୍ୟା କରାଯାଇଛି ଏବଂ ତାଙ୍କୁ ସୁଟକେଶରେ ପ୍ଯାକ କରି ଫୋପାଡ଼ି ଦିଆଯାଇଛି। ମୃତକଙ୍କ ନାମ ହିମାନି ନରୱଲ ବୋଲି ସୂଚନା ମିଳିଛି। କଂଗ୍ରେସ ବିଧାୟକ ଭାରତ ଭୂଷଣ ବାତ୍ରା କହିଛନ୍ତି- ଭାରତ ଯୋଡ ଯାତ୍ରା ସମୟରେ ହିମାନି ବେଶ୍ ସକ୍ରିୟ ଥିଲେ ଏବଂ ରାହୁଲଙ୍କ ସହ ସାଥ୍ ଦେଇଥିଲେ। ସେହିପରି ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ଭୂପିନ୍ଦର ସିଂ ହୁଡା ଓ ଦୀପେନ୍ଦର ହୁଡାଙ୍କ ସହ ବି ବେଶ୍ ସକ୍ରିୟ ଥିଲେ। ଏହି ହତ୍ଯା ଘଟଣାର ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଭୂପିନ୍ଦର।

ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି କି ତାଙ୍କ ଗଳାକାଟି ହତ୍ୟା କରାଯାଇଛି । ଏବେ ପ୍ରଶ୍ନ ଉଠିଛି କି, କିଏ ଏବଂ କାହିଁକି ହତ୍ୟା କରିଛି । ତେବେ ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ନାଁ ଷଡ଼ଯନ୍ତ୍ର । ଏମିତି ପ୍ରଶ୍ନମାନ ଉଠିଥିବାବେଳେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ସେପଟେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ୫ଟି ଟିମ ଗଠନ କରିଥିବା ଜଣାପଡ଼ିଛି । ତାଙ୍କ ଘର ଆଖପାଖରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରୁଛି ପୋଲିସ । ଏହାସହ ସୋସିଆଲ ମିଡିଆକୁ ନେଇ ମଧ୍ୟ ତଦନ୍ତ କରାଯାଉଛି । ଚର୍ଚ୍ଚା ହେଉଛି କି, କେହି ତାଙ୍କୁ ଡାକି ଦେଖା କରିବା ବାହାନାରେ ହତ୍ୟା କରିନାହିଁ ତ? ତେବେ କଂଗ୍ରେସ ଦଳର ଜଣେ ସକ୍ରିୟ କର୍ମୀ ରହିଥିବାବେଳେ ତାଙ୍କୁ କାହିଁକି ଏମିତି ହତ୍ୟା କରାଯାଇଛି ।