ହିମାଳୟରେ ଆସିପାରେ ଶତାବ୍ଦୀର ବଡ଼ ଭୂକମ୍ପ ! ଏମିତି ହୋଇପାରେ ପରିସ୍ଥିତି

ହିମାଳୟ ପର୍ବତରେ ଯେକୌଣସି ସମୟରେ ବି ଏକ ବଡ଼ ଧରଣର ଭୂକମ୍ପ ଆସିପାରେ । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୮ରୁ ଅଧିକ ହୋଇପାରେ । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ହିମାଳୟର ଆଖପାଖ ଜନବହୁଳ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିପାରେ । ଏବଂ ରାଜଧାନୀ ଦିଲ୍ଲୀରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇପାରେ । ତେବେ, କେତେବେଳେ ଏହି ଭୂକମ୍ପ ହେବ, ତାହା ଏପର୍ଯ୍ୟନ୍ତ ଆକଳନ କରାଯାଇପାରି ନାହିଁ । କିନ୍ତୁ ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ, ଏହି ଭୂକମ୍ପ ଆସନ୍ତା ୧୦୦ବର୍ଷ ମଧ୍ୟରେ ଆସିପାରେ ।

ବୈଜ୍ଞାନିକଙ୍କ ଅନୁଯାୟୀ, ପୂର୍ବ ଭାରତର ଅରୁଣାଚଳ ପ୍ରଦେଶଠାରୁ ଆରମ୍ଭକରି  ପଶ୍ଚିମରେ ଥିବା ପାକିସ୍ଥାନ ପର୍ଯ୍ୟନ୍ତ ବ୍ୟାପିଥିବା ହିମାଳୟ ପର୍ବତମାଳାରେ ପୂର୍ବରୁ ଅନେକ ଥରେ ଭୂକମ୍ପ ହୋଇଛି । କାରଣ ପୂର୍ବରୁ ଏହି ଅଞ୍ଚଳ ଭୂକମ୍ପର ଗଡ଼ ହୋଇଥିଲା । ଅନୁସନ୍ଧାନ ଅନୁଯାୟୀ, ବିଂଶ ଶତାବ୍ଦୀରେ ହୋଇଥିବା ଭୂକମ୍ପଠାରୁ ବି ଏହି ଭୂକମ୍ପ ଆହୁରି ଭୟାନକ ହେବାର ସମ୍ଭାବନା ରହିଛି ।

ପୂର୍ବ ଅନୁସନ୍ଧାନରେ ମଧ୍ୟ ଏଭଳି ଦାବି ହୋଇଛି

କୋଲକାତାରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ପୃଥିବୀ ବିଜ୍ଞାନ ବିଭାଗର ପ୍ରଫେସର ସୁପ୍ରିୟା ମିତ୍ରା ମଧ୍ୟ ଏହି ଅନୁସନ୍ଧାନକୁ ସଠିକ୍ ବୋଲି କହିଛନ୍ତି । ମିତ୍ରାଙ୍କ ଅନୁଯାୟୀ, ପୂର୍ବରୁ ହୋଇଥିବା କିଛି ଅନୁସନ୍ଧାନ ମଧ୍ୟ ଏହାକୁ ହିଁ ସୂଚିତ କରିଛି । ତେବେ ଏପରି ଭୟଙ୍କର ଭୂକମ୍ପ କେବେ ହେବ ସେନେଇ କୌଣସି ଅନୁମାନ କରିବା ଅସମ୍ଭବ । ସେ କହିଛନ୍ତି ଯେ, ପୂର୍ବରୁ ହୋଇଥିବା ଅଧ୍ୟୟନରେ ସାଟେଲାଇଟର ଫଟୋକୁ ଆଧାର କରି ଭୂକମ୍ପକୁ ନେଇ କିଛି ତଥ୍ୟ ଦିଆଯାଇଥିଲା । କିନ୍ତୁ ଏହି ଅନୁସନ୍ଧାନରେ ସାମ୍ପ୍ରତିକ ଐତିହାସିକ ଭୂକମ୍ପର ସମୟ ଏବଂ ଆକାର ଭୂବିଜ୍ଞାନ ଉପରେ ଆଧାର କରି ବ୍ୟାଖ୍ୟା କରାଯାଇଛି ।

ଦିଲ୍ଲୀରେ ମଧ୍ୟ ଭୂକମ୍ପର ସାମ୍ନା ଝଟକା ଅନୁଭବ ହେବ

ଅନୁସନ୍ଧାନ ଅନୁଯାୟୀ, ଭୂକମ୍ପ ଏତେ ଭୟଙ୍କର ହେବ ଯେ ହିମାଳୟର ଦକ୍ଷିଣରେ ଥିବା ରାଜଧାନୀ ଦିଲ୍ଲୀରେ କମ୍ପନ ଅନୁଭୂତ ହେବ।

ଗତ ଚାରି ମାସ ମଧ୍ୟରେ ଉତ୍ତର ଭାରତରେ ଅନେକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି

ଉତ୍ତର ଭାରତରେ ଗତ ଚାରିମାସ ମଧ୍ୟରେ ଅନେକ ମୃଦୁ ଭୂକମ୍ପ ହୋଇଛି, ଯାହା ସୂଚାଇ ଦେଇଛି ଯେ ବଡ଼ ଭୂକମ୍ପକୁ ନେଇ କରାଯାଉଥିବା ଦାବି ମିଥ୍ୟା ନୁହେଁ । ବୈଜ୍ଞାନିକଙ୍କ ଅନୁଯାୟୀ, ଏହିପରି ଏହି ଛୋଟ ଭୂକମ୍ପ, ଅନେକ ବଡ଼ ଭୂକମ୍ପର ସଙ୍କେତ ଅଟେ ।

Leave a Reply