ବର୍ଷା ଭାଙ୍ଗିଥିଲା ଘର,ଆତଙ୍କବାଦୀ ଛଡ଼ାଇନେଲେ ପୁଅ
ନନ୍ଦିଘୋଷ ବ୍ୟୁରୋ: ବର୍ଷା ମୋ ଘର ଭାଙ୍ଗିଥିଲା ଆଜି ଆତଙ୍କବାଦୀ ମୋ ପୁଅକୁ ଛଡାଇନେଲା ..ଏଭଳି କିଛି କହି ନିଜ ସହୀଦ ପୁଅକୁ ଝୁରୁଛନ୍ତି ୯୦ବର୍ଷୀୟ ମାଆ । ଆଜ୍ଞା ହଁ ଏହି ଘଟଣାଟି ହିମାଚଳ ପ୍ରଦେଶର । ସହୀଦ ନାଏବ ସୁବେଦାର ରାକେଶ କୁମାରଙ୍କୁ ଝୁରୁଛନ୍ତି ପରିବାରବର୍ଗ । ପୁଅକୁ ମନେ ପକାଇ ଆଖିରୁ ଲୁହ ଝରାଉଛି ମାଆ । ବୁଢୀ ବୟସରେ କାହିଁକି ଏଭଳି ହେଲା ବୋଲି ଭଗବାନଙ୍କୁ ପ୍ରଶ୍ନ କରୁଛି । ବୁ୍ଢୀ ମାଆର ଏଭଳି ଅବସ୍ଥା ଦେଖିଲେ ଆପଣ ମଧ୍ୟ କହିବେ ଭଗବାନ କାହିଁକି ତୁମେ ଏତେ ନିଷ୍ଠୁର ..
୨୦୨୩ରେ ହିମାଚଳ ପ୍ରଦେଶରେ ହେଇଥିବା ବାଦଲଫଟା ବର୍ଷା କାରଣରୁ ପ୍ରାୟ ୧୨ହଜାରରୁ ଅଧିକ ବାସଗୃହ କ୍ଷତିଗରସ୍ତ ହୋଇଥିଲା । ସେହି ଘରମାନଙ୍କ ମଧ୍ୟରୁ ସହୀଦ ନାଏବ ସୁବେଦାର ରାକେଶ କୁମାରଙ୍କର ମଧ୍ୟ ଗୋଟିଏ ଘର ଥିଲା । ବର୍ଷା ବିର୍ପାତ ଯୋଗୁ ତାଙ୍କ ଘରଟି ମଧ୍ୟ ଭାଙ୍ଗି ଯାଇଥିଲା । ବୁଢୀ ମାକୁ କଥା ଦେଇ ଡ୍ୟୁଟିକୁ ଫେରିଥିଲେ ରାକେଶ । ନୂଆବର୍ଷରେ ନୂଆଘର ନିର୍ମାଣ କରିବେ । ହେଲେ ସେ ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା । ଫେରିବାକୁ କଥା ଦେଇ ଫେରିନଥିଲେ ରାକେଶ । ଜମ୍ମୁକାଶ୍ମୀର କିସ୍ତଓ୍ବାଡରେ ଆତଙ୍କୀଙ୍କ ସହ ଗୁଳି ବିନିମୟ ବେଳେ ରାକେଶ ସହୀଦ ହୋଇଥିଲେ ।
ସୂଚନା ଅନୁଯାୟୀ ସହୀଦ ରାକେଶ କୁମାର ଏବଂ ତାଙ୍କ ଭାଇଙ୍କର ବର୍ଷାରେ ୧୦ବଖରା ବିଶିଷ୍ଟ ଘର ଧୋଇଯାଇଥିଲା । ସେହିସମୟରୁ ସମସ୍ତେ ଭଡାଘରେ ରହୁଥିଲେ ଏବଂ ପୁରୁଣା ଘରେ କେବଳ ବଡଭାଇ ରହୁଥିଲେ । ସହୀଦ ରାକେଶଙ୍କ ବଡଭାଇଙ୍କ କହିବାନୁଯାୟୀ ଦେଢ ମାସ ପୂର୍ବରୁ ରାକେଶ ଛୁଟିରେ ଆସିଥିବା ବେଳେ ଡିସେମ୍ବରରେ ପୁଣି ଆସି ଜାନୁୟାରୀରେ ନୂଆ ଘର ଆରମ୍ଭ କରିବାକୁ ଯୋଜନା ରଖିଥିଲେ । ହେଲେ ଏବେ ତାଙ୍କର ଘର କରିବାର ସ୍ବପ୍ନ ତାଙ୍କ ସହିତ ହିଁ ଚାଲିଗଲା ।ସହୀଦ ରାକେଶ କୁମାର ନିଜ ୯୦ବର୍ଷୀୟ ମାଆ, ସ୍ତ୍ରୀ ଏବଂ ଦୁଇ ପୁଅଝିଅଙ୍କୁ ଦୁଃଖର ସାଗରରେ ଭସାଇ ଛାଡି ଚାଲିଯାଇଛନ୍ତି । ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ସ୍ତ୍ରୀ ନିସ୍ତେଜ ହେଇଯାଇଛନ୍ତି । ସେ କିଛି ବୁଝିବା ଅବସ୍ଥାରେ ନାହାନ୍ତି । ଏପରି ଅବସ୍ଥାରେ ପରିବାରଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ସରକାରଙ୍କୁ ନିବେଦନ କରିଛନ୍ତି ।
ଗତକାଲି ସହୀଦ ରାକେଶ କୁମାରଙ୍କ ମରଶରୀର ହେଲିକପ୍ଟର ଯୋଗେ ହିମାଚଳର ମଣ୍ଡିରେ ପହଞ୍ଚିବା ପରେ ଶୋକର ବାତାବରଣ ଖେଳିଯାଇଥିଲା । ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ । ରାକେଶ ୨୮ଜାନୁୟାରୀ ୧୯୮୨ ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ ମାତ୍ର ୨୩ବର୍ଷ ବୟସରେ ଭାରତୀୟ ସେନାରେ ପାରା କମାଣ୍ଡୋ ଭାବରେ ଯୋଗ ଦେଇଥିଲେ ।ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସହୀଦଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ଏହାସହିତ ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଳା ସହିଦ ରାକେଶଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ବଳିଦାନ ଦେଶ ମନେରଖିବ ବୋଲି କହିଛନ୍ତି । ରାକେଶ ଅନେକ ଯୁବପୀଢୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।