ହିମାଚଳରେ ପୁଣି ଆରମ୍ଭ ହେଲା ପୁରୁଣା ପେନସନ ଯୋଜନା, ଉପକୃତ ହେବେ ୧ ଲକ୍ଷ ୩୬ ହଜାର କର୍ମଚାରୀ

ଧର୍ମଶାଳା: ହିମାଚଳ ପ୍ରଦେଶରେ ପୁଣି ଆରମ୍ଭ ହେଲା ପୁରୁଣା ପେନସନ ଯୋଜନା । ଗତ ନିର୍ବାଚନ ସମୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । ପୁରୁଣା ପେନସନ୍ ଯୋଜନା ଜରିଆରେ ଉପକୃତ ହେବେ ରାଜ୍ୟର ୧ ଲକ୍ଷ ୩୬ ହଜାର କର୍ମଚାରୀ । ଯୋଜନାକୁ ପୁନର୍ବାର କାର୍ଯ୍ୟକାରୀ କରିବା ସକାଶେ ଗତ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସରକାର ନିଷ୍ପତ୍ତି ନେଇଥିଲେ । ଏହା ସହ ନିର୍ବାଚନ ଇସ୍ତାହାରରେ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ସେ ସବୁକୁ କାର୍ଯ୍ୟକାରୀ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ କର୍ମଚାରୀ ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଛି ।

ପୁରୁଣା ପେନସନ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି, ନିର୍ବାଚନ ପ୍ରଚାର ସମୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ସେହି ପ୍ରତିଶ୍ରୁତିକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି । ସେହିପରି ୧୮ରୁ ୬୦ ବର୍ଷ ବୟସ୍କା ମହିଳାମାନଙ୍କୁ ମାସିକ ୧୫ ଶହ ଟଙ୍କା ଦେବା ଲାଗି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହାକୁ ମଧ୍ୟ କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ବିଗତ ବିଜେପି ସରକାର କର୍ମଚାରୀଙ୍କ ବକେୟା ଦେୟ ପରିମାଣ ୪ ହଜାର ୪୩୦ କୋଟି ଟଙ୍କା ଓ ପେନସନଧାରୀଙ୍କ ୫ ହଜାର ୨୨୬ କୋଟି ଟଙ୍କା ଦେଇ ନଥିଲା ବୋଲି ଅଭିଯୋଗ କରିଛନ୍ତି ସୁଖବିନ୍ଦର ।