ହିମାଚଳ ପ୍ରଦେଶରେ କଂଗ୍ରେସର କ୍ଲିନ୍ ସ୍ବିପ୍ ; ବିଜେପି ହାତରୁ ଗଲା ମଣ୍ଡି ଆସନ

ଧର୍ମଶାଳା: ହିମାଚଳ ପ୍ରଦେଶରେ ବିଜେପିକୁ ଲାଗିଛି ଶକ୍ତ ଝଟକ୍କା । ହିମାଚଳପ୍ରଦେଶରେ ହୋଇଥିବା ଉପ ନିର୍ବାଚନରେ ବିଜେପିକୁ ଅଡୁଆରେ ପକାଇଛି କଂଗ୍ରେସ ।  ଗୋଟିଏ ଲୋକସଭା ଆସନ ଓ ତିନୋଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ କ୍ଲିନ୍ ସୁଇପ୍ କରିଛି କଂଗ୍ରେସ । ଯାହା ଫଳରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏହା ଏକ ବଡ଼ ପ୍ରଭାବ ପକାଇବ । ୨୦୧୯ ସାଧାରଣ ନିର୍ବାଚନରେ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ବିଜେପିର ରାମ ସ୍ବରୂପ ଶର୍ମା ବିଜୟ ଲାଭ କରିଥିଲେ । କିନ୍ତୁ ତାଙ୍କ ଦେହାନ୍ତ ପରେ ମଣ୍ଡି ଲୋକସଭା ଆସନ ପାଇଁ ହୋଇଥିଲା ଉପନିର୍ବାଚନ । ତେବେ ଏଠାରେ ହୋଇଥିବା ଉପନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂଙ୍କ ପତ୍ନୀ ପ୍ରତିଭା ସିଂଙ୍କୁ ଟିକେଟ ଦେଇଥିଲା କଂଗ୍ରେସ। ତେବେ କଂଗ୍ରେସକୁ ଟକ୍କର ଦେବା ପାଇଁ  କାର୍ଗିଲ ଯୁଦ୍ଧର ହିରୋ କୁଶାଲ ସିଂ ଠାକୁରଙ୍କୁ ବିଜେପି ଦେଇଥିଲା ଟିକେଟ । କିନ୍ତୁ ଏହି ମଣ୍ଡି ଲୋକସଭା ଆସନକୁ ବଞ୍ଚାଇ ପାରିନଥିଲା ବିଜେପି । ୮ ହଜାର ୭୬୬ ଖଣ୍ଡ ଭୋଟରେ କୁଶାଲ ସିଂ ଠାକୁରଙ୍କୁ ପରାସ୍ତ କରିଥିଲେ ପ୍ରତିଭା ସିଂ ।

ସେହିପରି ଭାବରେ ଯଦି ତିନୋଟି ବିଧାନସଭା ଆସନ କଥା କହିବା ତାହାଲେ ଫତେହପୁର ବିଧାନସଭା ଆସନରେ କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀ ସୁଜନ ସିଂ ପଠାନିଆଙ୍କ ପୁଅ ଭବାନୀ ସିଂ ପଠାନିଆ ଏବଂ ବିଜେପିର ବଲଦେବ ଠାକୁର ମୁହାଁମୁହିଁ ହୋଇଥିଲେ । ତେବେ ଏହି ବିଧାନସଭା ଆସନରେ ଭବାନୀ ସିଂ ପଠାନିଆ ୨୪ ହଜାର ୨୪୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ବଲଦେବ ଠାକୁରଙ୍କୁ ମିଳିଥିଲା ୧୮ ହଜାର ୪୭୮ ଖଣ୍ଡ ଭୋଟ । ଯାହାଫଳରେ କଂଗ୍ରେସ ୫ ହଜାର ୭୮୯ ଖଣ୍ଡ ଭୋଟରେ ବିଜୟ ଲାଭ କରିଛି । ସେହିପରି ଭାବରେ ଅର୍କି ବିଧାନସଭା ଆସନରେ କଂଗ୍ରେସ ପିସିସି ସାଧାରଣ ସମ୍ପାଦକ ସଞ୍ଜୟ ଆଓ୍ବସ୍ତି ଏବଂ ବିଜେପିର ରତନ ସିଂ ପାଲ ମୁହାଁମୁହିଁ ହୋଇଥିଲେ । ଯେଉଁଠାରେ କଂଗ୍ରେସ ୩୦ ହଜାର ୭୯୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୨୭ ହଜାର ୫୭୯ ଖଣ୍ଡ ଭୋଟ ପାଇଛନ୍ତି । ଯାହା ଫଳରେ ସଞ୍ଜୟ ଆଓ୍ବସ୍ତୀ ୩ ହଜାର ୨୧୯ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି ।

ସେହିପରି ଭାବରେ ଜୁବାଲ କୋଟଖାଇ  ବିଧାନସଭା ଆସନରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ରୋହିତ ଠାକୁର , ବିଜେପିର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନୀଲମ ସାର୍କ ଓ ସ୍ବାଧିନ ଭାବରେ ଛିଡା ହୋଇଥିବା ଚେତନ ସିଂଙ୍କ ମଧ୍ୟରେ ତ୍ରିମୁଖି ଲଢ଼େଇ ହୋଇଥିଲା । ତେବେ ଏହି ବିଧାନସଭା ଆସନରେ ବିଜେପି ଏଠାରେ ନିଜର ଅମାନତ ହରାଇଥିଲା । ଏହି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ୨୯ ହଜାର ୯୫୫ ଖଣ୍ଡ ଭୋଟ ପାଇଥିବାବେଳେ ସ୍ବାଧିନରେ ଛିଡା ହୋଇଥିବା ଚେତନ ସିଂ ୨୩ ହଜାର ୬୬୨ ଭୋଟ ପାଇଥିବା ବେଳେ ବିଜେପି ମାତ୍ର ୨ ହଜାର ୬୪୪ ଖଣ୍ଡ ଭୋଟ ପାଇଥିଲେ ।

ଉପନିର୍ବାଚନରେ ବିଜେପିର ପରାଜୟ ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ରାଜନୈତିକ ସ୍ଥିତି ଉପରେ ସିଧାସଳଖ ପ୍ରଭାବ ପକାଇବ । କାହିଁକି ନା ଆସନ୍ତା ବର୍ଷ ହିମାଚଳପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଭଳି ପରିସ୍ଥିତରେ କଂଗ୍ରେସ ଉପନିର୍ବାଚନରେ ଚାରୋଟି ଆସନ ଜିତିବା ବିଜେପିକୁ ଏକ ବଡ଼ ଝଟକ୍କା ଲାଗିଛି ।

Leave a Reply