ନଭେମ୍ବର ୧୨ରେ ଭୋଟ, ଡିସେମ୍ବର ୮ରେ ଗଣତି

ନୂଆଦିଲ୍ଲୀ: ଜାତୀୟ ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା । ନଭେମ୍ବର ୧୨ରେ ହିମାଚଳ ପ୍ରଦେଶରେ ପଡ଼ିବ ଭୋଟ  ।  ପର୍ଯ୍ୟଟନ ରାଜ୍ୟ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ରାଜ୍ୟର ୬୮ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ । ଆସନ୍ତା ନଭେମ୍ବର ୧୨ରେ  ମତଦାନ ହେବା ନେଇ ତାରିଖ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ କମିଶନ  । ସେହିପରି ୮ ଡିସେମ୍ବରରେ ହେବ ଭୋଟ ଗଣନା । ୧୦ ଡିସେମ୍ବର ପୂର୍ବରୁ ସରିବ ସମସ୍ତ ନିର୍ବାଚନୀ ପ୍ରକ୍ରିୟା ।

ଆସନ୍ତା ୧୭ରେ ହିମାଚଳ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ୨୫ ଅକ୍ଟୋବର ସୁଦ୍ଧା ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ୨୭ରେ ହେବ ପ୍ରାର୍ଥିପତ୍ର ଯାଞ୍ଚ । ୨୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । 8 ଜାନୁଆରୀ 2023ରେ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ରାଜ୍ୟରେ ୫୫ ଲକ୍ଷରୁ ଅଧିକ ଭୋଟର ମତଦାନ ସାବ୍ୟସ୍ଥ କରିବେ । ପ୍ରଥମ ଥର ପାଇଁ ଏକ ଲକ୍ଷ ୮୬ ହଜାରରୁ ଅଧିକ ନାଗରିକ ଭୋଟ ଦେବେ । ମତଦାନ ପାଇଁ ୭ ହଜାର ୮୮୧ ଟି ବୁଥ୍‌ ବ୍ୟବସ୍ଥା କରାଯିବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ।

ନିର୍ବାଚନ ଆୟୋଗ ପକ୍ଷରୁ ସମ୍ବେଦନଶୀଳ ବୁଥ୍‌ ଗୁଡିକରେ ବ୍ୟାପକ ବ୍ୟବସ୍ଥା କରାଯିବ । ବୟସ୍କ ଓ ଭିନ୍ନକ୍ଷମ ଭୋଟର ଘରେ ଥାଇ ଭୋଟ ଦେଇପାରିବେ । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟରେ କ୍ୟାସ୍‌ରେ କାରବାର ଉପରେ ତିକ୍ଷ୍ନ ନଜର ରହିବ । ସଂଧ୍ୟା ୫ଟାରୁ ସକାଳ ୧୦ ପର୍ଯ୍ୟନ୍ତ ମୋଟା ଅଙ୍କର ଟଙ୍କାର ନଗର କାରବାର କରିପାରିବେ ନାହିଁ । ସମସ୍ତ ବୁଥ୍‌ରେ ପ୍ରାର୍ଥୀ ମାନଙ୍କର ସମ୍ପତ୍ତି, ସେମାନଙ୍କର ଦକ୍ଷତା ଏବଂ ଯଦି ସେମାନଙ୍କର ଅପରାଧିକ ମାମଲା ଥାଏ ସେଗୁଡିକ ତଥ୍ୟ ବୁଥ୍‌ କେନ୍ଦ୍ରରେ ପ୍ରକାଶିତ କରାଯିବ ।