ଧାମରାରେ ବନ୍ଦରରେ ପୁଳା ପୁଳା ଇଲିସି, କିଲୋ ପିଛା ୨ ହଜାର

ଭଦ୍ରକ: ଧାମରାରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଛନ୍ତି ଟନ୍ ଟନ୍ ଇଲିସି ମାଛ । ହେଲେ ଚଢା ଦର ଯୋଗୁଁ ହାତ ମାରି ହେଉନି । କିଲୋ ପିଛା ଦର ରହିଛି ୧୫ ଶହ ରୁ ୨ ହଜାର ଟଙ୍କା । ଗତବର୍ଷ ମାନଙ୍କରେ ଇଲିସି ଏତେଟା ଦେଖା ଦେଇନଥିବା ବେଳେ ଏବେ କିଛିଦିନ ହେଲା ଲଗାଣ ବର୍ଷା ଆଉ ପୂର୍ବାଳି ପବନ ଯୋଗୁଁ ମତ୍ସ୍ୟଜୀବୀଙ୍କ ଜାଲରେ ୩ ଦିନ ହେଲା ଟନ୍ ଟନ୍ ଇଲିସି ପଡୁଛି । ବଡ଼ ଇଲିସିର ଚାହିଦା ଥିବାରୁ ଏହା ଦର ମଧ୍ୟ ଆକାଶ ଛୁଆଁ । ଏହି ସମୟରେ ଇଲିସି ଆମଦାନୀ ହେଉଥିବାରୁ ଖାଇବାକୁ ସମସ୍ତଙ୍କର ଇଚ୍ଛାଥାଏ ।

ତେବେ ଚଢା ଦର ଯୋଗୁଁ ଗ୍ରାହକ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି । ପୂର୍ବାଳି ପବନ ଯୋଗୁଁ ସମୁଦ୍ରରେ ଇଲିସି ମିଠା ପାଣିକୁ ଉଠି ଆସୁଛନ୍ତି । ଆଗାମୀ ଦିନରେ ଯଦି ଏମିତି ପାଗ ରୁହେ ତେବେ ଆହୁରି ଅଧିକ ଇଲିସି ଆଦାୟ ହେବ ଓ ଦର ମଧ୍ୟ ସାମାନ୍ୟ ଶସ୍ତା ହେବ ବୋଲି ଆଶା କରିଛନ୍ତି ମତ୍ସ୍ୟଜୀବୀ । ଧାମରା ଚନ୍ଦନୀପାଳ ଅଞ୍ଚଳରେ ପାଖାପାଖି ୫ ହଜାରରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ପରିବାର ଓ ୧୨ଶହ ବୋଟ୍ ପ୍ରତିଦିନ ସମୁଦ୍ରକୁ ମାଛ ମାରିବାକୁ ଯାଇଥାନ୍ତି । ଇଲିସି ଜାଲରେ ପଡୁଥିବାରୁ ମତ୍ସ୍ୟଜୀବୀ ଓ ଟଲର ମାଲିକ ବେସ୍ ଖୁସି ଅଛନ୍ତି । ରାଜ୍ୟ ବାହାରକୁ ରପ୍ତାନି କରି ଦୁଇ ପଇସା ରୋଜଗାର କରୁଛନ୍ତି ।