ନିଶା ବେପାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ, ୬ ଦିନରେ ଗିରଫ ହୋଇଛନ୍ତି ୨୩୦ଜଣ

ଭୁବନେଶ୍ୱର: ନିଶା ବେପାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ । ବିଗତ ଡିସେମ୍ବର ୬ ତାରିଖ ଠାରୁ ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ନକଲି ମଦ, ଗଞ୍ଜେଇ, ହେରୋଇନ କାରବାର ବିରୋଧରେ ରେକର୍ଡ ସଂଖ୍ୟକ ମକଦ୍ଦମା ରୁଜୁ କରାଯାଇଛି । ସମୁଦାୟ ଦୁଇ ଶହ ୨୨ଟି ମକଦ୍ଦମା ରୁଜୁ କରାଯାଇଥିବା ବେଳେ ୨୩୦ ଜଣଙ୍କୁ ଗିରଫ କରାଯାଇ କୋର୍ଟ୍ ଚାଲାଣ କରାଯାଇଛି ।

ଅବକାରୀ ଆୟୁକ୍ତ ଆଶୀଷ କୁମାର ସିଂହଙ୍କ ନିର୍ଦ୍ଦେଶରେ ଏହି ଚଢାଉରେ ୮୦ ଲିଟର ନକଲି ଦେଶୀ ମଦ, ୩୧୧ ଲିଟର ଅପମିଶ୍ରିତ ମଦ, ୧୮୪୧ ଲିଟର ନକଲି ବିଦେଶୀ ମଦ, ୨୪୧ ଲିଟର ଡ୍ୟୁଟି ଦିଆ ହୋଇ ନଥିବା ବିଦେଶୀ ମଦ, ୩୧ ଲିଟର ସ୍ପିରିଟ୍, ୭୦ ଲିଟର କଫ ସିରପ, ୭୮୬.୬୪ କେଜି ଗଞ୍ଜେଇ, ୨୧୯୭ ଗ୍ରାମ୍ ହେରୋଇନ୍ ଓ ୩୨ଟି ଗାଡି ଜବତ କରାଯାଇଛି । ଏହାର ଅନୁମାନିକ ମୂଲ୍ୟ ୩.୫୭ କୋଟି ଟଙ୍କା ହେବ ବୋଲି ଆକଳନ କରିଯାଇଛି ।