ଚେତିଲା ସରକାର: ବିଶ୍ବବିଦ୍ୟାଳୟ ଓ କଲେଜରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ

1 min read

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ଵର ଘଟଣା ପରେ ଚେତିଲେ ସରକାର । ଚାରିଆଡୁ କଡ଼ା ସମାଲୋଚନା ଓ ଅଡୁଆରେ ପଡ଼ିବା ପରେ ବିଶ୍ବବିଦ୍ୟାଳୟ ଓ କଲେଜ କ୍ୟାମ୍ପସରେ ମହିଳା ସହାୟତା ନମ୍ଵର ୧୮୧ ପ୍ରଦର୍ଶନ କରିବାକୁ ଉଚ୍ଚଶିକ୍ଷା ବିଭାଗ ଦେଇଛି ନିର୍ଦ୍ଦେଶ । ଏହାସହ POSH Act, 2013 ସମ୍ବନ୍ଧରେ ସଚେତନତା କର୍ମଶାଳାର ଆୟୋଜନ ପାଇଁ ଚିଠି ଲେଖା ଯାଇଛି ।

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ ପରିସରର ପ୍ରମୁଖ ସ୍ଥାନରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ରେଜିଷ୍ଟାର ଓ ଅଧ୍ୟକ୍ଷମାନଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଏହାସହ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର ) ଅଧିନିୟମ, ୨୦୧୩ ଏବଂ ଏହି ସମ୍ବନ୍ଧରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କଡ଼ାକଡ଼ି ଭାବେ ପାଳନ କରିବା ଓ ଏହି ସମ୍ବନ୍ଧୀୟ ସଚେତନତା କର୍ମଶାଳା ଆୟୋଜନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ କର୍ମଶାଳାରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ, ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନେ ଯୋଗଦେବେ । POSH Act, 2013ର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଶପଥ ନେବେ । କର୍ମଶାଳା ଆୟୋଜନର ସବିସ୍ତୃତ ବିବରଣୀ ଆସନ୍ତା ୩ ଦିନ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବା ନିମନ୍ତେ ଚିଠିରେ ଉଲ୍ଲେଖ କରାଯାଇଛି ।