spot_img

Latest Posts

ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କରାଯାଉଛି ପ୍ରୋତ୍ସାହିତ

ଭୁବନେଶ୍ବର: ବିଶ୍ବବିଦ୍ୟାଳୟରେ ଗବେଷଣା ପାଇଁ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରୋତ୍ସାହିତ କରାଯାଉଛି। ଚଳିତ ବର୍ଷ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଗବେଷଣା ଓ ଅଭିନବୀକରଣ ସହାୟତା ଯୋଜନା ବା CMRIFP କାର୍ଯ୍ୟାନ୍ବୟନ ହେଉଛି। ୨୦୨୩-୨୪ ଶିକ୍ଷା ବର୍ଷରେ ରାଜ୍ୟରେ ମୋଟ ୩ଶହ ଛାତ୍ରଛାତ୍ରୀ ଓ ୬୦ଅଧ୍ୟାପକଙ୍କୁ ପ୍ରୋତ୍ସାହନ ରାଶି ମିଳିବ। ପିଏଚଡି ସ୍କଲାର ଓ ଅଧ୍ୟାପକ କିଭଳି ଠିକ୍ ଭାବେ ଗବେଷଣା ପାଣ୍ଠି ପାଇବେ, ସେନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ସଚିବ ଅରବିନ୍ଦ ଅଗ୍ରୱାଲ ସମୀକ୍ଷା କରିଛନ୍ତି।

୨୦୨୩-୨୪ରେ ମୁଖ୍ୟମନ୍ତ୍ରୀ ଗବେଷଣା ଓ ଅଭିନବୀକରଣ ସହାୟତା ପ୍ରଦାନ ପାଇଁ ସରିଛି ଆବେଦନ । ପୂର୍ବରୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଓଡ଼ିଶା ବିଶ୍ବବିଦ୍ୟାଳୟ ଅନୁସନ୍ଧାନ ଓ ଇନୋଭେସନ୍ ଇନସେନଟିଭାଇଜେସନ୍ ପ୍ଲାନ ବା ଓୟୁଆରଆଇଆଇପି ଜରିଆରେ ଅଧ୍ୟାପକ ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଦିଆଯାଉଥିଲା। ବର୍ତ୍ତମାନ ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ପ୍ରୋତ୍ସାହନ ରାଶି ବୃଦ୍ଧି କରାଯାଇ ସିଏମ୍ଆରଆଇଏଫପି ଯୋଜନା କରାଯାଇଛି । ୨୦୨୩-୨୪ ଶିକ୍ଷାବର୍ଷରୁ ଏହି ଯୋଜନାରେ ସହାୟତା ଦିଆଯିବ। ଏସଏସବି ପକ୍ଷରୁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା କରାଯିବ। ବିଭାଗ ପକ୍ଷରୁ ମାର୍କ ଆଧାରରେ ପ୍ରସ୍ତୁତ ତାଲିକା ଅନୁସାରେ ମୋଟ ୩ଶହ ଜଣଙ୍କୁ ଗବେଷଣା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀଙ୍କୁ  ମାସିକ ୩୦ହଜାର ଟଙ୍କା ଲେଖାଏଁ ଫେଲୋସିପ୍ ରାଶି ପ୍ରଦାନ କରାଯିବ।

ଏହି ଯୋଜନାରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକଙ୍କୁ ମଧ୍ୟ ଗବେଷଣା ପାଇଁ ସହାୟତା ରାଶି ପ୍ରଦାନ କରାଯିବ। ଚଳିତ ବର୍ଷ ଗବେଷଣା ପାଇଁ ସହାୟତା ପାଇବାକୁ ମୋଟ ୧୮୫ଜଣ ଅଧ୍ୟାପକ ଆବେଦନ କରିଛନ୍ତି। ସେଥିମଧ୍ୟରୁ ୬୦ଜଣ ଶ୍ରେଷ୍ଠ ଗବେଷଣା କରୁଥିବା ଅଧ୍ୟାପକଙ୍କୁ ମନୋନୀତ କରାଯାଇଛି। ସେମାନଙ୍କୁ ୭ରୁ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।  ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଏହି ପ୍ରକ୍ରିୟା ଚାଲିଛି। ଏଥିରେ ଆର୍ଥିକ ଅନୁଦାନ ପାଇବେ ୩ଶହ ଗବେଷକ ଓ ୬୦ ଜଣ ଅଧ୍ୟାପକ । ସେହିପରି ୪ହଜାର ୧୯୧ ଜଣ ଗବେଷଣାରତ ଛାତ୍ରଛାତ୍ରୀ ମଧ୍ୟ ଆବେଦନ କରିଛନ୍ତି।

Latest Posts

Don't Miss