ଫ୍ୟୁଜ୍ ହେଲା ହେଭିୱେଟଙ୍କ ହାଇଭୋଲଟେଜ୍, କିଏ କେଉଁଠୁ ପରାଜିତ ?

ନନ୍ଦିଘୋଷ ବ୍ୟୁରୋ:  ଜନାଦେଶ ଆଗରେ କାମ କରିନି ହେଭିୱେଟଙ୍କ ହାଇଭୋଲଟେଜ  । ଜନତା ବାଛିଛନ୍ତି ନିଜ ପସନ୍ଦ ମୁତାବିକ ନେତା  । ଚୟନ କରିଛନ୍ତି ଜନ ପ୍ରତିନିଧି  । ପାଞ୍ଚ ରାଜ୍ୟର ଫଳାଫଳ ସ୍ପଷ୍ଟ ହେବାରେ ଲାଗିଛି  । ଉତ୍ତର ପ୍ରଦେଶରେ ପୁନର୍ବାର ବିଜେପି ବାଜିମାତ କରିଛି  । ପୁନର୍ବାର ୟୁପିବାସୀ ବାବାଙ୍କୁ ବାଛିଛନ୍ତି  । ୟୁପି ସମେତ ୪ ରାଜ୍ୟରେ ବିଜେପି ପୁନଃଶ୍ଚ ସରକାର ଗଢିବାକୁ ଯାଉଛି  । ପଞ୍ଜାବରେ ପ୍ରଥମ ଥର ପାଇଁ  ଆମ ଆଦମୀ ପାର୍ଟି ବହୁମତ ହାସଲ କରିବା ସହ ସରକାର ଗଢିବାକୁ ସମର୍ଥ ହୋଇଛି  । କିନ୍ତୁ ନିର୍ବାଚନର ଫଳାଫଳରେ ହେବିୱେଟଙ୍କ ଜଲୱା ମଳିନ ପଡିଯାଇଛି  । ସତ୍ତାକୁ ସମ୍ଭାଳି ଧରିବା ପାଇଁ ମନସ୍ତିର କରିଥିବା ଅନେକ ନେତା ନିର୍ବାଚନରେ ପରାଜିତ ହୋଇଛନ୍ତି  ।

ୟୁପିରୁ ଉତ୍ତରାଖଣ୍ଡ, ମଣିପୁରରୁ ଗୋଆ ସବୁଠି ପରାସ୍ତ ହୋଇଛନ୍ତି ଅନେକ ହାଇଭୋଲଟେଜ ନେତା  । ପଞ୍ଜବାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚରଣଜିତ୍ ଚନ୍ନୀ ଦୁଇଟି ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବାବେଳେ ଉଭୟ ଆସନରୁ ପରାସ୍ତ ହୋଇଛନ୍ତି  । ସେହିପରି ପଞ୍ଜାବ କଂଗ୍ରେସରେ ବିସ୍ଫୋରଣ ପରିସ୍ଥିତି ସୃଷ୍ଟି କରିଥିବା ନବଜ୍ୟୋତ ସିଂ ସିଦ୍ଧୁ ମଧ୍ୟ ହାରିଯାଇଛନ୍ତି  । କେବଳ ଏତିକି ନୁହେଁ ଉତ୍ତରାଖଣ୍ଡରେ ବିଜେପି ସରକାର ଗଢିବାକୁ ବହୁମତ ହାସଲ କରିଥିବାବେଳେ ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମୀ ବିଧାୟକ ଭାବେ ଜିତିବାରେ ସକ୍ଷମ ହୋଇନାହାଁନ୍ତି  । ଖଟିମା ଆସନରୁ ପ୍ରାର୍ଥୀ ହୋଇଥିବା ପୁଷ୍କର ସିଂ ଧାମୀ ପରାଜିତ ହୋଇଛନ୍ତି  ।

 

ଅନ୍ୟପଟେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ତଥା ଉତ୍ତରାଖଣ୍ଡ କଂଗ୍ରେସର ଶୀର୍ଷ ନେତା ହରିଶ ରାୱତ ମଧ୍ୟ ପରାଜୟ ବରଣ କରିଛନ୍ତି  । ହରିଶ ରାୱତ କେବଳେ କଂଗ୍ରେସର ପୋଷ୍ଟର ବୟ ନୁହଁନ୍ତି, ହରିଶ ରାୱତ ହେଉଛନ୍ତି ଦୁଇ ଦୁଇ ଥରର ମୁଖ୍ୟମନ୍ତ୍ରୀ  ।   ଲାଲକାନ ଆସନରୁ ପରାଜୟବରଣ କରିଛନ୍ତି । ବିଜେପିର ମୋହନ ସିଂ ବିଶ୍ୱ ହରିଶ ରାୱତଙ୍କୁ ୧୪ ହଜାର ଭୋଟରେ ପରାସ୍ତ କରିଛନ୍ତି । ଅନ୍ୟପଟେ ଉତ୍ତର ପ୍ରଦେଶର ଓବିସି ଚେହେରା ତଥା ପଛୁଆ ବର୍ଗ ଭୋଟ ବ୍ୟାଙ୍କକୁ ନିଜ ପାଖରେ ରଖିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ପାରଜିତ ହୋଇଛନ୍ତି  । ଫାଜିଲନଗର ଆସନରୁ ସମାଜବାଦୀ ପାର୍ଟ୍ଟି ପ୍ରାର୍ଥୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ପ୍ରାର୍ଥୀ ହୋଇଥିଲେ  । ପୂର୍ବରୁ ବିଜେପିରେ ଥିବାବେଳେ ନିକଟରେ ବିଜେପିରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟ୍ଟିରେ ଯୋଗଦାନ କରିଥିଲେ  । ଅଖିଳେଶ ଯାଦବଙ୍କ ସହ ମିଶି ୟୁପିରେ ଯୋଗୀ ବିରୋଧୀ ବାତାବରଣ ସୃଷ୍ଟି କରିଥିଲେ  । ବିଜେପିରୁ ଅନେକ ନେତା ମନ୍ତ୍ରୀଙ୍କୁ ସପାରେ ଯୋଗଦାନ କରାଇବାରେ ନିଭାଇଥିଲେ ପ୍ରମୁଖ ଭୂମିକା  । କିନ୍ତୁ ନିଜେ ସ୍ୱାମୀ ପ୍ରସାଦ ଚଳିତ ନିର୍ବାଚନରେ ପରାଜୟ ସ୍ୱୀକାର କରିଛନ୍ତି  ।

ପଞ୍ଜାବରେ ପୁନର୍ବାର ସରକାର ଗଢିବାକୁ ସମସ୍ତ ପ୍ରକାର ଋଣନିତୀ ପ୍ରସ୍ତୁତ କରିସାରିଥିବା କଂଗ୍ରେସ ୧୭ରେ ସିମୀତ ରହିଯାଇଛି  । ପଞ୍ଜାବରେ ଅନେକ ବରିଷ୍ଠ ନେତା ମଧ୍ୟ ଆପର ହାୱାରେ ଧୂଳିସାତ ହୋଇଯାଇଛନ୍ତି  । ସିରୋମଣୀ ଅକାଳୀ ଦଳର ପ୍ରମୁଖ ସୁଖବୀର ସିଂ ବାଦଲ ମଧ୍ୟ ନିର୍ବାଚନରେ ହାରିଯାଇଛନ୍ତି  । ଜଲାଲବାଦ ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିଲେ ସୁଖବୀର ସିଂ ବାଦଲ  । ବିପକ୍ଷ ପ୍ରାର୍ଥୀ ତଥା ଆମ ଆଦମୀ ପାର୍ଟି ପ୍ରାର୍ଥୀ ଜଗଦୀପ କଂବୋଜ ଏଠାରେ ନିର୍ବାଚିତ ହୋଇଛନ୍ତି  । ଏଠାରେ ଆପ ପ୍ରାର୍ଥୀ କେବଳ ବିଜୟ ହାସଲ କରିନାହାଁନ୍ତି ଏକ ବଡ଼ ବ୍ୟବଧାନରେ ପ୍ରକାଶ ସିଂ ବାଦଲଙ୍କୁ ପରାଜିତ କରିଛନ୍ତି  । ୨୭ ହଜାର ୪୨୨ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି ସିରୋମଣୀ ଅକାଳୀ ଦଳର ପ୍ରମୁଖ ନେତା  ।

କ୍ୟାପଟେନ ଅମରିନ୍ଦର ସିଂ ପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ରହିଥିଲେ  । କଂଗ୍ରେସରୁ ଇସ୍ତଫା ଦେବାପରେ ପଞ୍ଜାବ ଲୋକ କଂଗ୍ରେସ ନାମରେ ଏକ ଆଞ୍ଚଳିକ ଦଳ ଗଢିଥିଲେ  । ପରବର୍ତ୍ତୀ ସମୟରେ ବିଜେପି ସହ ଗଠବନ୍ଧନ ନେଇ ମଧ୍ୟ ଘୋଷଣା କରିଥିଲେ  ଅମରିନ୍ଦର ସିଂ  । କ୍ୟାପଟେନ ଚଳିତ ବିଧାନସଭା ନିର୍ବାଚନରେ ପଟିୟାଲା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବାବେଳେ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରୁଥିଲେ ଆପ ପ୍ରାର୍ଥୀ ଅଜିତ ପାଲ ସିଂ  । ତେବେ ଅଜିତ ପାଲ କ୍ୟାପଟେନଙ୍କୁ ୧୯ ହଜାର ୮୭୩ ଭୋଟରେ ପରାସ୍ତ କରିଛନ୍ତି  । ଅର୍ଥାତ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଚଳିତ ନିର୍ବାଚନରେ ପରାଜିତ ହୋଇଛନ୍ତି  ।

ସେହିପରି ସିରୋମଣି ଅକାଳୀ ଦଳର ବଡ଼ ନେତା ପ୍ରକାଶ ସିଂ ବାଦଲ ମଧ୍ୟ ଧରାଶାୟୀ ହୋଇଛନ୍ତି  । ଲମ୍ବୀ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ପ୍ରକାଶ ସିଂ ବାଦଲ  । ପ୍ରତିଦ୍ୱନ୍ଦୀ ଥିଲେ ଆପର ପ୍ରାର୍ଥୀ ଗୁରମୀତ ସିଂ  ଖୁଦିୟା  । ତେବେ ପ୍ରକାଶ ସିଂ ବାଦଲଙ୍କ ଭଳି ହାଭିୱେଟ ନେତା ମଧ୍ୟ ୧୧, ୩୯୬ ଭୋଟରେ ପରାଜିତ ହୋଇଛନ୍ତି  । ପଞ୍ଜାବରେ ମୁଖ୍ୟତଃ ଆମ ଆଦମୀ ପାର୍ଟିକୁ ସାଧାରଣ ଭୋଟର ଗ୍ରହଣ କରିଛନ୍ତି  । ପ୍ରପକ୍ଷରେ ଥିବା ସମସ୍ତ ବରିଷ୍ଠ ନେତାଙ୍କୁ ପରାଜୟର ଦ୍ୱାରଦେଶରେ ଛାଡିଦେଇଛନ୍ତି ପଞ୍ଜାବବାସୀ  । ସେପଟେ ପ୍ରଥମଥର ପାଇଁ ଆପ ଦିଲ୍ଲୀ ପରେ ପଞ୍ଜାବରେ ସରକାର ଗଠନ କରିବାକୁ ଯାଉଛି  । ଅନ୍ୟପଟେ ଯଦି ନିର୍ବାଚନୀ ଗଣିତ ଦେଖିବା ତେବେ ୩୧ ବର୍ଷ ପରେ ୟୁପିରେ କୌଣସି ଏକ ରାଜନୈତିକ ଦଳ ଦ୍ୱିତୀୟ ଥର ପାଇଁ ସରକାରକୁ ଫେରିଛି  । ଅନ୍ୟପଟେ ଇତିହାସରେ ପ୍ରଥମ ଥର ପାଇଁ ଉତ୍ତରାଖଣ୍ଡରେ ବିଜେପି ଦ୍ୱିତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛି  ।