ଇଣ୍ଡିଆନ ରଗବୀ ଫୁଟବଲ ୟୁନିୟନ ଏବଂ କିସ-କିଟ ମଧ୍ୟରେ ବୁଝାମଣା, କିସରେ ହେବ ରଗବୀ ହାଇପର୍ଫମାନ୍ସ ସେଣ୍ଟର

1 min read

ଭୁବନେଶ୍ୱର: ଇଣ୍ଡିଆନ ରଗବି ଫୁଟବଲ ୟୁନିୟନ ଏବଂ କିସ୍ ଓ କିଟ୍ ମଧ୍ୟରେ ବୁଝାମଣା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି । ଏଥିରେ IRFUର ସଭାପତି ଶ୍ରୀ ମହେଶ ମାଥାଇ ଏବଂ କିସ୍-କିଟ୍ ପକ୍ଷରୁ ଏହାର ସି.ଇ.ଓ ଡଃ ପ୍ରଶାନ୍ତ ରାଉତରାୟ ସ୍ୱାକ୍ଷର କରିଖିଲେ । ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବରେ କିଟ୍ ଭାରତୀୟ ଜାତୀୟ ମହିଳା ଓ ପୁରୁଷ ରଗବୀ ହାଇପର୍ଫମାନ୍ସ  ସେଣ୍ଟର ପ୍ରତିଷ୍ଠା କରାଯିବ । ୨୦୦୫ ମସିହାରୁ ଓଡ଼ିଶାରେ ରଗବି ଫୁଟବଲର ପ୍ରସାର ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କିସକୁ ଏହି ସୁଯୋଗ ଦିଆଯାଇଛି । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିସକୁ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଦିନରେ ଭାରତୀୟ ଜାତୀୟ ଦଳ ଦେଶ ପାଇଁ ସୁନାମ ଆଣିବ ବୋଲି ଆଶା ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତ ବେହେରା, ସାଂସଦ ଡଃ ଅଚ୍ୟୁତ ସାମନ୍ତ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ରଗବୀର ଜାତୀୟ ଆମ୍ବାସଡର ରାହୁଲ ବୋଷ ପ୍ରମୁଖ ଉପସ୍ଥିତ ଥିଲେ । କ୍ରୀଡ଼ା ସଚିବ ଶ୍ରୀ ବିଶାଳ ଦେବ ସ୍ୱାଗତ ଭାଷଣ ଦେଇଥିଲେ ।

ଅନ୍ୟପଟେ ଆଜି ଲୋକସଭା ଭବନରେ ଆୟୋଜିତ ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ୧୮ ବର୍ଷରୁ କମ ଦୃଷ୍ଟି ବାଧିତ ମହିଳା କ୍ରିକେଟ ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ଟି-୨୦ କ୍ରିକେଟ ମ୍ୟାଚରେ ଓଡ଼ିଶାର ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳ କର୍ଣ୍ଣାଟକକୁ ୮୭ ରନରେ ହରାଇ ଚମ୍ପିଆନ ହୋଇଥିଲେ । ଓଡ଼ିଶା ଦଳର କ୍ୟାପଟେନ ଲୀନା ସ୍ୱାଇଁ ଓ ପଦ୍ମିନୀ ଟୁଡୁ ପ୍ଲେୟର ଅଫ୍ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତ ବେହେରା , ଭିନ୍ନକ୍ଷମ କମିଶନର ଶ୍ରୀମତୀ ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କ୍ରୀଡା ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave a Reply