ବେଆଇନ ଇଟାଭାଟି ଉପରେ ଉଚ୍ଚ ନ୍ୟାୟାଳୟଙ୍କ ଛାଟ, ଦୁଇ ସପ୍ତାହ ମଧ୍ୟରେ ଭାଟି ବନ୍ଦ କରି ଜାଗା ଖାଲି କରିବାକୁ ନିର୍ଦ୍ଦେଶ

ନୀଳଗିରି: ବେଆଇନ ଇଟାଭାଟି ଉପରେ ହାଇକୋର୍ଟ ଲଗାଇଲେ ଲଗାମ । ଇକୋସେନସିଟିଭ ଜୋନ ଭିତରେ ହୋଇ ପାରିବନି ବେଆଇନ ଇଟାଭାଟି । ଗତ ୧୬ ତାରିଖରେ ହାଇକୋର୍ଟ ଏହି ରାୟ ଦେବା ସହ ଦୁଇ ସପ୍ତାହ ମଧ୍ୟରେ ଇଟାଭାଟି ବନ୍ଦ କରିବା ସହ ଉକ୍ତ ସ୍ଥାନକୁ ଖାଲି କରିବାକୁ ଦେଇଛନ୍ତି ନିର୍ଦ୍ଦେଶ । ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର ଏକ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି । ଯାହାକୁ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି ।

ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳ ହେବ ପ୍ରଦୂଷଣ ମୁକ୍ତ । ନୀଳଗିରିରେ ବେଆଇନ ଭାବେ ଅନେକ ଇଟାଭାଟି ଗଢି ଉଠିଛି । ଧୂଆଁ ଯୋଗୁଁ ଲୋକେ ପ୍ରତିଦିନ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଯାହାକୁ ନେଇ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ ବାରମ୍ବାର ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଇକୋସେନସିଟିଭ ଜୋନରେ ଚାଲିଥିବା ବେଆଇନ ଇଟାଭାଟିକୁ ବନ୍ଦ କରିବା ପାଇଁ ପ୍ରଶାସନକୁ ଜଣାଇଥିଲେ । ୨୦୨୩ ମେ’ ୨୦ ତାରିଖରେ ଇକୋସେନସିଟିଭ ଜୋନ ଦର୍ଶାଇ ବାଲେଶ୍ଵର ଜିଲ୍ଲାପାଳ ମାମା ଓ ଗୋସ୍ବାମୀ ଇଟାଭାଟିକୁ ଭାଙ୍ଗିବା ସହ ଗୋଟିଏ ଇଟାଭାଟିରେ ୧୪୪ ଧାରା ଲାଗୁ କରିଥିଲେ । ଏନେଇ ମାମା ଇଟାଭାଟିର ମାଲିକ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ । ୨୦୨୪ ମସିହା ଜୁଲାଇ ୧୨ ତାରିଖରେ ହାଇକୋର୍ଟର ଏକ ସ୍ବତନ୍ତ୍ର ଟିମ୍ ଓ ସ୍ଥାନୀୟ ପ୍ରଶାସନର ଏକ ଦଳ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ । ତଦନ୍ତ ଆଧାରରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଜାନୁଆରୀ ୧୬ ତାରିଖରେ ରାୟ ଶୁଣାଇଛନ୍ତି ।

ଇକୋସେନସିଟିଭ ଜୋନରେ ଥିବା ବେଆଇନ ଇଟାଭାଟିକୁ ଦୁଇ ସପ୍ତାହ ଭିତରେ ବନ୍ଦ କରି ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଯେଉଁମାନେ ଆଇନ ଅମାନ୍ୟ କରିବେ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସେପଟେ ବେଆଇନ ଇଟାଭାଟି ବନ୍ଦ କରିବାକୁ ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ଅଞ୍ଚଳବାସୀ ସ୍ଵାଗତ କରିଛନ୍ତି ।