ଜାରି ରହିବ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ, ASI ରିପୋର୍ଟରେ ଅସନ୍ତୁଷ୍ଟ ହାଇକୋର୍ଟ

କଟକ:ଶ୍ରୀକ୍ଷେତ୍ରରେ ଜାରି ରହିବ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ପ୍ରକଳ୍ପ କାମ ଉପରେ ରହିତାଦେଶ ପାଇଁ ହୋଇଥିବା ଆବେଦନର ଶୁଣାଣି କରି ହାଇକୋର୍ଟ କାମ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ପିଟିସନର କରିଥିବା ଆବେଦନକୁ ଖାରଜ କରିଛନ୍ତି । ଏଏସଆଇ ସହ ମିଶି ରାଜ୍ୟ ସରକାର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟକୁ ଚାଲୁ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ, ଐତିହ୍ୟ ପ୍ରକଳ୍ପ କାର୍ଯ୍ୟକୁ ନେଇ ହାଇକୋର୍ଟରେ ଏଏସଆଇ ଦାଖଲ କରିଥିବା ସତ୍ୟପାଠକୁ ମଧ୍ୟ ଅବାନ୍ତର କହିଛନ୍ତି ହାଇକୋର୍ଟ ।

ଐତିହର କିଛି ଅବଶେଷ ନଷ୍ଟ ହୋଇଥାଇ ପାରେ ବୋଲି ଏଏସ୍ଆଇ ନିଜ ସତ୍ୟପାଠରେ ଉଲ୍ଲେଖ କରିଥିଲା। ତେବେ ହୋଇଥାଇ ପାରେ ବୋଲି ଶବ୍ଦ ଅବାନ୍ତର, ତେଣୁ ନିର୍ଦ୍ଦିଷ୍ଟ ଭାବେ କଣ କ୍ଷତି ହୋଇଛି, ତାହା କହିବାକୁ ହାଇକୋର୍ଟ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟରେ ଏଏସଆଇ ଦାଖଲ କରିଥିବା ମିଳିତ ପରିଦର୍ଶନ ରିପୋର୍ଟରେ କୌଣସି ନିର୍ଦ୍ଦିଷ୍ଟ କଥା କୁହାଯାଇ ନାହିଁ । କେବଳ ସେତିକି ନୁହେଁ ନିଷିଦ୍ଧାଞ୍ଚଳରେ ଟଏଲେଟ୍, ଡ୍ରେନ୍ ଓ ଇଲେକ୍ଟ୍ରିକାଲ୍ କାମ ହୋଇ ପାରିବ । ଏହା ନିର୍ମାଣ ସଜ୍ଞା ପରିସରଭୁକ୍ତ ନୁହେଁ ବୋଲି ଆଜି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

କେବଳ ଅଭ୍ୟର୍ଥନା କକ୍ଷକୁ ନିଷିଦ୍ଧାଞ୍ଚଳରେ ନିର୍ମାଣ କରିବାକୁ ଅନୁମତି ଦିଆଯାଇ ନାହିଁ । ଏହାସହ ୨୦୨୧ ମସିହା ସେପ୍ଟେମ୍ବର ମାସ ୪ ତାରିଖରେ ଏନଏମଏ ଜାରି କରିଥିବା ଏନଓସି ସଂପର୍କରେ ମଧ୍ୟ ହାଇକୋର୍ଟ ବିଚାର କରିଥିଲେ । ଏଥିରେ ଏଏସଆଇର ପରିଦର୍ଶନ ରିପୋର୍ଟ ସଂଲଗ୍ନ ରହିଥିଲା । ଏହା ସ୍ପଷ୍ଟ ପ୍ରମାଣିତ କରୁଛି ଯେ, ଏନ୍ଏମଏ ପକ୍ଷରୁ ଏହି ପ୍ରକଳ୍ପକୁ ଅନୁମତି ପ୍ରଦାନ କରାଯାଇଥିଲା । ଏହା ସହିତ ମୃଣାଳିନୀ ପାଢୀ ବନାମ କେନ୍ଦ୍ର ସରକାରଙ୍କ କ୍ଷେତ୍ରରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ହାଇକୋର୍ଟ ଗୁରତ୍ବ ଦେଇଛନ୍ତି । ଏଏସଆଇର ସତ୍ୟପାଠ ଓ ପରିଦର୍ଶନ ରିପୋର୍ଟ ଉପରେ ରାଜ୍ୟ ସରକାର ହାଇକୋର୍ଟରେ ଉତ୍ତର ରଖିପାରନ୍ତି ବୋଲି ଆଡଭୋକେଟ୍ ଜେନେରାଲ କୋର୍ଟକୁ ଜଣାଇଛନ୍ତି ।