ଭରତପୁର ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ

କଟକ: ଭରତପୁର ଥାନା ଘଟଣା ନେଇ ନିଜ ଆଡୁ କରିଥିବା ମାମଲାର ଶୁଣାଣି କରି ରାଜ୍ଯ ସରକାରଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ । ଏଥିସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ତଦାରଖ କରିବା ପାଇଁ ସିଧା ସିଧା ମନା କରି ଦେଇଛନ୍ତି କୋର୍ଟ । ତେବେ ଘଟଣାରେ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ରଙ୍କୁ ଆମିକସ କ୍ଯୁରି ଭାବେ ନିଯୁକ୍ତ କରିଛନ୍ତି ଉଚ୍ଚ ନ୍ଯାୟାଳୟ ।

ହାଇକୋର୍ଟର ମୁଖ୍ଯ ବିଚାରପତି ଚକ୍ରଧାରୀ ଶରଣ ସିଂ ଓ ବରିଷ୍ଠ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ବେଳେ ପୋଲିସ ଥାନାର ବ୍ଯବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ପ୍ରଶ୍ନ କରିଛନ୍ତି ଯେ, ରାତି ଅଧରେ ଦୁଇ ଜଣ ଥାନାରେ ଅଘଟଣ ଘଟାଇବା ପାଇଁ ଯୋଜନା କରି ଥାନାକୁ ଯାଇଥିଲେ କି ? ଥାନା ଭିତରେ ସେଦିନ ଯାହା ଘଟିଲା ତାହା ଏପର୍ଯ୍ୟନ୍ତ ରହସ୍ଯ ହୋଇ ରହିଛି । ଏହାର ସଠିକ ତଦନ୍ତ ହେବା ଆବଶ୍ଯକ ଅଛି । ଏଥିସହ ଥାନାରେ ସିସିଟିଭି ନଥିବା ନେଇ ମଧ୍ଯ ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ ।

ରାଜ୍ଯ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ କୁହାଯାଇଛି, ରାଜ୍ଯରେ ୬୫୦ଟି ଥାନା ଥିବାବେଳେ ସେଥିମଧ୍ଯରୁ ୫୯୩ଟି ଥାନାରେ ସିସିଟିଭି ଅଛି । ବାକି ୫୭ଟି ଥାନାରେ ସିସିଟିଭି ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ସିସିଟିଭି ସଂପର୍କରେ ଅଦାଲତରେ ଦାଖଲ କରିବା ପାଇଁ ଅତିରିକ୍ତ ଡିଜି ଦୟାଲ ଗଙ୍ଗୱାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରେ ସଂପୃକ୍ତ କ୍ଯାପେଟନ, ତାଙ୍କ ବାନ୍ଧବୀ ବା ରୋଡ ରୋମିଓଙ୍କ ପରିଚୟ ସାର୍ବଜନୀନ କରାଯାଇପାରିବ ନାହିଁ ବୋଲି ଅଦାଲତ କଟକଣା ଜାରି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୮ ତାରିଖରେ କରାଯିବ ।

ସୂଚନାଯୋଗ୍ୟ, ଗତ ବିଧାନସଭା ଅଧିବେଶନ ବେଳେ ଖୋଦ ମୁଖ୍ୟମନ୍ତ୍ରୀ ଗୃହକୁ ରାଜ୍ୟର ଥାନାଗୁଡିକରେ ସିସିଟିଭି ଷ୍ଟାଟସ ନେଇ ଉତ୍ତର ରଖିଥିଲେ । ଉତ୍ତରରେ କହିଥିଲେ ଯେ, ରାଜ୍ୟର ସବୁ ଥାନାରେ ସିସିଟିଭି ରହିଛି । ଏହାକୁ ନେଇ ଏବେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।