ରାଜ୍ୟର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ଆବଶ୍ୟକତା ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶା ଓକିଲ ଆନ୍ଦୋଳନକୁ ସୁପ୍ରିମ୍ ଝଟକା । ରାଜ୍ୟର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ସଂପୂର୍ଣ୍ଣ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଟେକ୍ନୋଲୋଜିର ବ୍ୟବହାର ବଢିଛି । ଅନଲାଇନ୍ ଦୁନିଆରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଅବାସ୍ତବ ବୋଲି କୋର୍ଟ କହିଛନ୍ତି । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କିମ୍ବା ଅଲଗା ଅଞ୍ଚଳକୁ ସ୍ଥାନାନ୍ତର ଏକ ପିଲାଳିଆମି ଦାବି । କୋର୍ଟ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ପଶ୍ଚିମ ଓଡ଼ିଶା ବାର୍ ଆସୋସିଏସନର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଆନ୍ଦୋଳନ ନିସର୍ତ୍ତ ପ୍ରତ୍ୟାହାର କରି କୋର୍ଟଙ୍କୁ ଜଣାଇବାକୁ କହିଛନ୍ତି । କୌଣସି ଏକ ଜିଲ୍ଲା କୋର୍ଟରୁ ହାଇକୋର୍ଟ ପାଇଁ ଅନଲାଇନରେ କେସ୍ ଫାଇଲ୍ ହୋଇପାରିବ ଏବଂ ଭର୍ଚୁଆଲରେ ଶୁଣାଣି ହୋଇପାରିବ । ତେଣୁ କୌଣସି ସ୍ଥିତିରେ ବି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବନି । ଏନେଇ ସମସ୍ତ ସମ୍ଭାବନାକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ କୋର୍ଟ ।