ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟଣା: ସାମ୍ନାକୁ ଆସିଲା ବଡ଼ ଧରଣର ତ୍ରୁଟି

ଭୁବନେଶ୍ବର : ଭୁବନେଶ୍ବର ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟଣା । ସାମ୍ନାକୁ ଆସିଲା ବଡ଼ ଧରଣର ତ୍ରୁଟି । ଦାୟିତ୍ବହୀନତା ଯୋଗୁ ଘଟିଥିଲା ଅଭାବନୀୟ ଘଟଣା । ବିସ୍ଫୋରଣରେ ଆହତ ହୋଇ ପରେ ପ୍ରାଣ ହରାଇଥିବା ଜ୍ୟୋତି ନାମକ ଜନୈକ ବ୍ୟକ୍ତିଙ୍କୁ ଭୁଲ୍ କ୍ରମେ ଦିଲୀପ ସାମନ୍ତରାୟ ଭାବି ପୋଡି ଦିଆଯାଇଥିବା ଅଭିଯୋଗ ହୋଇଛି। ସ୍ବାମୀ ଦିଲୀପ ପ୍ରାଣ ହରାଇଥିବା ଖବର ପାଇ ପତ୍ନୀ ସୌମ୍ୟାଶ୍ରୀ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଥିଲେ । ଅକାଳ ଓ ଅଯଥାରେ ଉଜୁଡି ଯାଇଥିଲା ପରିବାର ।

ଏବେ ହସ୍ପିଟାଲରେ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତି ନିଜକୁ ଦିଲୀପ ବୋଲି କହିବା ପରେ ହସ୍ପିଟାଲ ଦ୍ୱାରା ହୋଇଥିବା ବଡ଼ ତ୍ରୁଟି ସାମ୍ନାକୁ ଆସିଛି । ଗତ ଶୁକ୍ରବାର ସନ୍ଧ୍ୟାରେ ହସ୍ପିଟାଲ ଭିତରେ ହୋଇଥିଲା ବିସ୍ଫୋରଣ । ମରାମତି କାମ ଚାଲିଥିବା ବେଳେ ଫାଟି ଯାଇଥିଲା ଅକ୍ସିଜେନ ସିଲିଣ୍ଡର । ବିସ୍ଫୋରଣରେ ହସ୍ପିଟାଲ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ଆହତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ଏତେ ବଡ଼ ଭୁଲ ପାଇଁ ପ୍ରକୃତରେ ଦାୟୀ କିଏ ? କାହାର ତ୍ରୁଟିପୂର୍ଣ୍ଣ ସୂଚନା ପାଇଁ ଏଭଳି ଜଘନ୍ୟ କାଣ୍ଡ ଘଟିଛି ? ଅନ୍ୟପଟେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଚୟ କଣ ତାହାକୁ ନେଇ ସସପେନସ ଜାରି ରହିଛି ।

ଗତ ୨୯ ଡିସେମ୍ବରରେ ଏହି ଘଟଣା ଘଟିଥିଲା । ଏଥିରେ ୪ ଜଣ ଆହତ ହୋଇଥିଲେ । ସେମାନଙ୍କୁ ଥାର୍ଡ ପାର୍ଟି ଏଜେନସି ଚିହ୍ନଟ କରିଥିଲା । ଆହତ ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲ ଏମର୍ଜେନସିରେ ଭର୍ତ୍ତି କରାଯାଇଥିଲା । ସେହି ୪ ଜଣଙ୍କ ନାମ ଥିଲା ଶ୍ରୀତମ ସାହୁ, ସୀମାଞ୍ଚଳ ବିଶ୍ବାଳ, ଦିଲୀପ ସାମନ୍ତରାୟ ଓ ଜ୍ୟୋତିରଞ୍ଜନ ମଲ୍ଲିକ । ତେବେ ୩୦ ଡିସେମ୍ବରରେ ଦିଲୀପଙ୍କ ମୃ୍ତ୍ୟୁ ନେଇ ଘୋଷଣା କରାଯାଇଥିଲା । ଏନେଇ ତାଙ୍କ ପରିବାରବର୍ଗକୁ ସୂଚନା ଦିଆଯାଇଥିଲା ।

ନିୟମ ଅନୁସାରେ ପୋଲିସର ତଦନ୍ତ କରିବା ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ପରିବାର ପକ୍ଷରୁ ହିନ୍ଦୁ ଆଇନ ଅନୁସାରେ ଶେଷକୃତ୍ୟ କରାଯାଇଥିଲା । ଦ୍ବିତୀୟ ଆହତ ବ୍ୟକ୍ତି ଶ୍ରୀତମ ସାହୁଙ୍କ ମୃତ୍ୟୁ ଗତ ୩ ତାରିଖରେ ହୋଇଥିଲା । ଚିହ୍ନଟ ହୋଇଥିବା ଆହତ ବ୍ୟକ୍ତିଙ୍କ ପରିଚୟ ଅନୁସାରେ ଦୁଇ ଜଣ ବଞ୍ଚିଯାଇଥିଲେ । ସେମାନେ ହେଲେ ସୀମାଞ୍ଚଳ ବିଶ୍ବାଳ, ଓ ଜ୍ୟୋତିରଞ୍ଜନ ମଲ୍ଲିକ । ଜ୍ୟୋତିଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସେ ଗତକାଲି ଆକ୍ଟିଭ ଥିଲେ । ସନ୍ଧ୍ୟାରେ ଯେତେବେଳେ ରାଉଣ୍ଡସ ଲାଗି ଡାକ୍ତର ଗଲେ ସେତେବେଳେ ସେ ନିଜକୁ ଦିଲୀପ ସାମନ୍ତରାୟ ବୋଲି କହିଥିଲେ । ଏହାକୁ ନେଇ ସୃଷ୍ଟି ହୋଇଥିଲା ଦ୍ବନ୍ଦ୍ବ । ସେ ପ୍ରାୟ ୬ ଦିନ ଧରି ଆଇସିୟୁରେ ଥିଲେ । ପରେ ତାଙ୍କ ପରିବାରକୁ ଡକାଯିବା ସହ ମନସ୍ତତ୍ତ୍ବବିତଙ୍କୁ ଡକାଯାଇଥିଲା । ଏହା ସହ ଜ୍ୟୋତି ଓ ଦିଲୀପଙ୍କ ପରିବାରକୁ ବି ଡକାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଦ୍ବନ୍ଦ୍ବ ଦୂର ହୋଇପାରିନାହିଁ । ଏନେଇ ଆଇଆଇସିଙ୍କୁ ସୂଚନା ଦିଆଯିବା ସହ ସମାଧାନ କରିବା ଲାଗି ଅନୁରୋଧ କରାଯାଇଛି ।