କରୋନା ଟିକା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିଆରା ସଚେତନତା

1 min read

ଭୁବନେଶ୍ୱର: ମହାମାରୀ କରୋନା ମୁକାବିଲାର ଏକ ପ୍ରମୁଖ ଅସ୍ତ୍ର ହେଉଛି ସତର୍କତା, ସଚେତନତା ଓ ଟିକାକରଣ । ଏହା ଦ୍ୱାରା କରୋନାକୁ ବ୍ୟାପିବାରୁ ଅନେକାଂଶରେ ରୋକାଯାଇପାରିବ । ଏବଂ ଗୁରୁତର ସଂକ୍ରମଣର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇପାରୁଛି । ଏଣୁ ଟିକାକରଣ ନେଇ ବେଶ୍ ଗୁରୁତ୍ୱ ଦେଉଛନ୍ତି ସରକାର ଓ ବିଶେଷଜ୍ଞ । ଏ ନେଇ ବିଭିନ୍ନ ସମୟରେ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି ।  ଏହି କ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ନିଆରା ଢଙ୍ଗରେ କରୋନା ଟିକା ନେଇ ସଚେତନ କରାଯାଇଛି । ଟ୍ୱିଟ୍ ମାଧ୍ୟମରେ ଏହି ସଚେତନତା ବାର୍ତ୍ତା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯେଉଁଥିରେ ବର୍ତ୍ତମାନର ଚର୍ଚ୍ଚିତ ଓ୍ୱେବସିରିଜ୍ ଫେମିଲି ମେନ୍-୨ର ଏକ ଦୃଶ୍ୟ ରହିଛି ।  ଯେଉଁଥିରେ ଓ୍ୱେବସିରିଜ୍‌ରେ ଶ୍ରୀକାନ୍ତ ତିଓ୍ୱାରୀ ଭୂମିକାରେ ଅଭିନୟ କରୁଥିବା ମନୋଜ ବାଜପେୟୀ ଅନ୍ୟ ଜଣେ କଳାକାର ଅର୍ଥାତ ଚେଲମ୍ ସାର୍‌ଙ୍କୁ ଟିକାକରଣ ଆବଶ୍ୟକତା ନେଇ ପଚରାଉଥିବା ଉଲ୍ଲେଖ ରହିଛି । ମନୋଜ ବାଜପେୟୀ ଅର୍ଥାତ ଶ୍ରୀକାନ୍ତ ତିଓ୍ୱାରୀ ପଚାରୁଛନ୍ତି ଯେ, ମୁଁ ମାସ୍କ ପରିଧାନ କରୁଛି, ବାରମ୍ୱାର ହାତକୁ ସାନିଟାଇଜ୍ ମଧ୍ୟ କରୁଛି । ଏହା ସତ୍ତ୍ୱେ କ’ଣ ମୋତେ କରୋନା ଟକା ନେବାର ଆବଶ୍ୟକତା ରହିଛି । ଉତ୍ତରରେ ଚେଲମ୍ ସାର୍ କୁହନ୍ତି ଯେ, ହଁ, ଶ୍ରୀକାନ୍ତ କରୋନା ଟିକାର ଉଭୟ ଡୋଜ୍ ନିଅ ଏବଂ ୨ଟି ଯାକ ଟିକା ନେଇ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସମୟ ବ୍ୟବଧାନ ଅନୁଯାୟୀ ନିଅ । ଉଲ୍ଲେଖ ଥାଉ କି, ଏହି ଚର୍ଚ୍ଚିତ ଓ୍ୱେବସିରିଜରେ ମନୋଜ ବାଜପେୟୀ ଜଣେ TASKର ଜଣେ ଗୁଇନ୍ଦା ଏଜେଣ୍ଟ ଭୂମିକାରେ ଅଭିନୟ କରିଥିବା ବେଳେ ଚେଲ୍ଲମ୍ ସାର୍ (ଉଦୟ ଭାନୁ ମହେଶ୍ୱରନ୍ ) ଜଣେ ଅବସରପ୍ରାପ୍ତ ଗୁଇନ୍ଦା ଏଜେଣ୍ଟ ଭୂମିକାରେ ଅଭିନୟ କରିଛନ୍ତି । ଯାହାଙ୍କ ପାଖରେ ସବୁ ପ୍ରକାର ତଥ୍ୟ ଥାଏ । ଏଣୁ ଶ୍ରୀକାନ୍ତ ଆବଶ୍ୟକସ୍ଥଳରେ ଚେଲ୍ଲମ୍‌ଙ୍କୁ ପଚାରି ବିଭିନ୍ନ ପ୍ରସଂଗରେ ତଥ୍ୟ ସଂଗ୍ରହ କରନ୍ତି ।

Leave a Reply