୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ହିରୋ ଭୈରୋନ ସିଂହ ରାଠୋରଙ୍କ ପରଲୋକ

1 min read

ଯୋଧପୁର: ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଲୋଙ୍ଗେୱାଲା ପୋଷ୍ଟର ହିରୋ ରହିଥିବା ଭୈରୋନ ସିଂହ ରାଠୋରଙ୍କ ଆଜି ପରଲୋକ ଘଟିଛି । ଦୀର୍ଘଦିନ ହେବ ଭୈରୋନ ସିଂହ ଯୋଧପୁର ଏମ୍ସରେ ଚିକିତ୍ସିତ ହେଉଥିଲେ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଫୋନ କରି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ସୋମବାର ଅପରାହ୍ନରେ ୮୧ ବର୍ଷ ବୟସରେ ସେ ପ୍ରାଣ ତ୍ୟାଗ କରିଛନ୍ତି । ଡିସେମ୍ବର ୧୪ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେ ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା ଏବଂ ପାରାଲିସିସ୍ ଆଟାକ୍ ମଧ୍ୟ ହୋଇଥିଲା ।

ଆଜି ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ବିଏସଏଫରେ ରହି ଦେଶର ସେବା କରିଥିବା ଲାନ୍ସ ନାଏକ ଭୈରୋନ ସିଂହଙ୍କୁ ଭାରତ ପାକିସ୍ତାନ ବର୍ଡରେ ପଶ୍ଚିମୀ ରାଜସ୍ଥାନର ଜୈସଲମେର ଜିଲ୍ଲାରେ ସ୍ଥିତ ଲୋଙ୍ଗେୱାଲା ପୋଷ୍ଟର ହିରୋ କୁହାଯାଉଥିଲା । ନିର୍ଦ୍ଦେଶକ ଜେପି ଦତ୍ତାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ବର୍ଡରରେ ଭୈରୋନ ସିଂହଙ୍କ ଅଦମ୍ୟ ସାହସର କାହାଣୀକୁ ପଦର୍ଶିତ କରାଯାଇଥିଲା । ତାଙ୍କ ଭୁମିକାରେ ବଲିଉଡ଼ ତାରକା ସୁନୀଲ ସେଟ୍ଟୀ  ନଜର ଆସିଥିଲେ ।

ଏହାପରେ ସେ ଆହୁରି ଚର୍ଚ୍ଚିତ ହୋଇଯାଇଥିଲେ । ଭୈରୋନ ସିଂହଙ୍କ ଗାଁ ସୋଲଙ୍କିଆୟା ତଲା ଯୋଧପୁରରୁ ପ୍ରାୟ ୧୨୦ କିମି ଦୂରରେ ଅବସ୍ଥିତ । ସେ ସେହିଠାରେ ହିଁ ରହୁଥିଲେ । ବିଏସଏଫରେ ରହିଥିବା ସମୟରେ ସିଂହଙ୍କୁ ଭାରତ-ପାକ୍ ବର୍ଡରେ ଥିବା ଲୋଙ୍ଗେୱାଲା ପୋଷ୍ଟରେ ନିୟୋଜିତ କରାଯାଇଥିଲା । ସେ ସେଠାରେ ବିଏସଏଫର ଏକ ଛୋଟ ସେନାର ନେତୃତ୍ୱ କରୁଥିଲେ ।

ସେଠାରେ ଭାରତୀୟ ସେନାର ୨୩ ପଞ୍ଜାବ ରେଜିମେଣ୍ଟର ଏକ କମ୍ପାନୀ ମଧ୍ୟ ନିୟୋଜିତ ଥିଲା । ଏହି ବୀର ଯବାନମାନେ ୫ ଡିସେମ୍ବର ୧୯୭୧ରେ ସେଠାରେ ପାକିସ୍ତାନୀ ବ୍ରିଗେଡ ଏବଂ ଟ୍ୟାଙ୍କ ରେଜିମେଣ୍ଟକୁ ନଷ୍ଟ କରିଦେଇଥିଲେ ଏବଂ ଯୁଦ୍ଧରେ ବିଜୟ ପାଇଥିଲେ । ସୂଚନାନୁସାରେ ଭୈରୋନ ସିଂହ ରାଠୋର ସେନାରୁ ୧୯୮୭ରେ ଅବସର ନେଇଥିଲେ । ସେବେଠାରୁ ସେ ନିଜ ଗାଁରେ ରହୁଥିଲେ ।