ଆସ୍ଥା ଭୋଟରେ ବିଜୟୀ ହେଲେ ଝାଡ଼ଖଣ୍ଡର ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନ

ନନ୍ଦିଘୋଷ ବ୍ୟୁରୋ: ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ଝାଡ଼ଖଣ୍ଡର ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନ। ତାଙ୍କୁ ୪୫ ବିଧାୟକଙ୍କ ସମର୍ଥନ ମିଳିଛି।  ୮୧ ଆସନ ବିଶିଷ୍ଟ ବିଧାନସଭାରେ ଏବେ ୭୬ ଜଣ ବିଧାୟକ ଅଛନ୍ତି। କାରଣ କିଛି  ବିଧାୟକ ସାଂସଦ ଭାବେ ନିର୍ବାଚିତ ହୋଇଥିବାରୁ ମ୍ଯାଜିକ ନମ୍ବର ୩୯ କୁ ଖସି ଆସିଛି। ସରକାରୀ ମେଣ୍ଟରେ ଜେଏମଏମ୍ ର ୨୭, କଂଗ୍ରେସର ୧୭ ଓ ଆରଜେଡିର ଜଣେ ବିଧାୟକ ଅଛନ୍ତି। ବିଜେପିର ୩୦ ଜଣ ବିଧାୟକ ଅଛନ୍ତି।  ସାଧାରଣ ନିର୍ବାଚନର ଜାନୁଆରି ୩୧ରେ ଠିକ୍ ଆଗରୁ ଏକ ଜମି ଦୁର୍ନୀତିରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ଇଡି। ତେଣୁ ସେ ଇସ୍ତଫା ଦେବାକୁ ବାଧ୍ଯ ହୋଇଥିଲେ। ସୋରେନ ପରିବାର ବିଶ୍ବସ୍ତ ଚମ୍ପେଇ ସୋରେନଙ୍କୁ ମୁଖ୍ଯମନ୍ତ୍ରୀ କରାଯାଇଥିଲା। ନିର୍ବାଚନ ସରିବା ପରେ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ଦେବାରୁ ଜୁନ୍ ୨୮ ରେ ହେମନ୍ତ ସୋରେନ ଜେଲରୁ ମୁକୁଳିଥିଲେ। ଜମି କାରବାରରେ ତାଙ୍କର ସିଧାସଳଖ ସଂପୃକ୍ତି ନାହିଁ ବୋଲି କହିଥିଲେ ହାଇକୋର୍ଟ। ଏହା ପରେ ଜୁଲାଇ ୪ ରେ ପୁଣି ମୁଖ୍ଯମନ୍ତ୍ରୀ ପଦକୁ ଫେରିଥିଲେ ହେମନ୍ତ ସୋରେନ। କିଛି ଦିନ ପରେ ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିପାରନ୍ତି ହେମନ୍ତ ସୋରେନ।