ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ

ରାଞ୍ଚି: ଝାଡ଼ଖଣ୍ଡର ତ୍ରୟୋଦଶ ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ । ଗତକାଲି ଚମ୍ପାଇ ସୋରେନ ଇସ୍ତଫା ଦେବା ପରେ ରାଜ୍ଯପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିଥିଲେ ହେମନ୍ତ । ହେମନ୍ତଙ୍କୁ ଶପଥ କରାଇଥିଲେ ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ । ଆସନ୍ତା ରବିବାର ନୂଆ ମନ୍ତ୍ରୀମାନେ ନେବେ ଶପଥ ।

ଦୁର୍ନୀତି ମାମଲାରେ ଜେଲ ଯାଇ ମୁକୁଳିଥିବା ହେମନ୍ତ ପୁଣି ଥରେ ସିଏମ ହୋଇଛନ୍ତି । ହେମନ୍ତଙ୍କୁ ମୁଖ୍ଯମନ୍ତ୍ରୀ କରିବା ଲାଗି ଝାଡ଼ଖଣ୍ଡ ଇଣ୍ଡିଆ ମେଣ୍ଟ ବୈଠକରେ ନିଷ୍ପତ୍ତି ହୋଇଥିଲା । ବେଆଇନ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲରେ ୫ ମାସ ରହିବା ପରେ ଝାଡଖଣ୍ଡ ହାଇକୋର୍ଟ ଗତ ଜୁନ ୨୮ ତାରିଖରେ ତାଙ୍କୁ ମୁକ୍ତି ଦେଇଥିଲେ । ୨୦୦୦ ମସିହାରେ ଝାଡଖଣ୍ଡ ଗଠିତ ହେବା ପରେ ହେମନ୍ତ ହୋଇଛନ୍ତି ତ୍ରୟୋଦଶ ମୁଖ୍ଯମନ୍ତ୍ରୀ । ସେପଟେ ଚମ୍ପାଇଙ୍କୁ ୟୁପିଏ ସମନ୍ବୟ କମିଟିର ଅଧ୍ଯକ୍ଷ ଓ ଜେଏମଏମ କାର୍ଯ୍ୟକାରୀ ସଭାପତି ଦାୟିତ୍ବ ଦିଆଯାଇଛି ।

ଇଣ୍ଡିଆ ମେଣ୍ଟ ପକ୍ଷରୁ ଝାଡ଼ଖଣ୍ଡ ଦାୟିତ୍ବରେ ଥିବା କଂଗ୍ରେସ ନେତା ଗୁଲାମ ଅହମ୍ମଦ ମୀର ଓ ରାଜ୍ଯ ସଭାପତି ରାଜେଶ ଠାକୁର ଉପସ୍ଥିତ ଥିଲେ । ୬୭ବର୍ଷ ବୟସ୍କ ଚମ୍ପାଇ ସୋରେନ ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ଜଣେ ଘନିଷ୍ଠ ବନ୍ଧୁ । ଚଳିତବର୍ଷ ଶେଷ ଭାଗରେ ଝାଡଖଣ୍ଡ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ହେମନ୍ତଙ୍କୁ ମୁଖ୍ଯମନ୍ତ୍ରୀ କରିବା ଲାଗି ଇଣ୍ଡିଆ ମେଣ୍ଟ ନିଷ୍ପତ୍ତି ନେଇଥିଲା । ଗତ ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ୫ ଆସନ ମିଳିଥିବାବେଳେ ଏନଡିଏକୁ ମିଳିଥିଲା ୯ ଆସନ । ଇଣ୍ଡିଆ ମେଣ୍ଟରେ ସାମିଲ ଜେଏମଏମକୁ ୩ ଓ କଂଗ୍ରେସକୁ ୨ ଆସନ ମିଳିଥିଲା । ବଡ଼କଥା ହେଉଛି ଖୁଣ୍ଟି ଆସନରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ ପୂର୍ବତନ ମୁଖ୍ଯମନ୍ତ୍ରୀ ଅର୍ଜୁନ ମୁଣ୍ଡା ।