ଝାଡ଼ଖଣ୍ଡରେ ପୁଣି ଚାଲିବ ହେମନ୍ତ ରାଜ, ୨୬ରେ ନେବେ ଶପଥ !

ରାଞ୍ଜି: ଝାଡ଼ଖଣ୍ଡରେ ପୁଣି ଚାଲିବ ଜେଏମଏମ ମୁଖିଆ ହେମନ୍ତ ସୋରେନଙ୍କ ଶାସନ । ଆସନ୍ତା ୨୬ରେ ମୁଖ୍ଯମନ୍ତ୍ରୀ ଭାବେ ନେଇ ପାରନ୍ତି ଶପଥ । ଗତକାଲି ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳ ଏନଡିଏର ସମସ୍ତ ସ୍ବପ୍ନ ଧୂଳିସାତ୍ କରିଦେଇଛି । ବିଶେଷ କରି ଅନୁପ୍ରବେଶକାରୀଙ୍କୁ ନେଇ ବିଜେପିର ରଣନୀତିକୁ ପ୍ରତ୍ୟାଖାନ କରିଛନ୍ତି ଜନତା ।

ରାଜ୍ଯରେ ଇଣ୍ଡି ମେଣ୍ଟର ବିଜୟ ବି ଏକଜିଟ ପୋଲ୍ ଆକଳନକୁ ଭୁଲ ପ୍ରମାଣିତ କରିଛି । ଜେଏମଏମ, କଂଗ୍ରେସ, ଆରଜେଡି ଓ ସିପିଆଇଏମ (ଏଲ) ମେଣ୍ଟ ୮୧ ଆସନରୁ ୫୬ ଆସନରେ ବିଜୟୀ ହୋଇଥିବାବେଳେ ଏନଡିଏକୁ ମିଳିଛି ୨୪ ଆସନ । ଜେଏମଏମ ୩୪, କଂଗ୍ରେସ ୧୬, ଆରଜେଡି ୪, ସିପିଆଇଏମ(ଏଲ) ୨ଟି ଆସନରେ ବିଜୟୀ ହୋଇଛନ୍ତି । ସେହିପରି ଏନଡିଏ ଅଧୀନରେ ବିଜେପି ୨୧, ଏଲଜେପି, ଆଜସୁ, ଜେଡିୟୁ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି । ଗତ ନିର୍ବାଚନ ତୁଳନାରେ ବିଜେପି ୪ଟି ଆସନ ହରାଇଛି । ନିର୍ବାଚନରେ ହେମନ୍ତ ସୋରେନ ବରହେଟରୁ ଏବଂ ତାଙ୍କ ପତ୍ନୀ କଳ୍ପନା ଗାଣ୍ଡେୟ ଆସନରୁ ବିପୁଳ ବିଜୟ ହାସଲ କରିଛନ୍ତି ।

ନିର୍ବାଚନରେ ବିଜେପି ଖେଳିଥିବା ଆଦିବାସୀ ଓ ଅନୁପ୍ରବେଶକାରୀ କାର୍ଡ ଫେଲ୍ ମାରିଛି । ନିର୍ବାଚନରେ ସବୁଠାରୁ ଲାଭବାନ ହୋଇଛି ଆରଜେଡି । ୨୦୧୯ ନିର୍ବାଚନରେ ଦଳ ଗୋଟିଏ ଆସନ ପାଇଥିବାବେଳେ ଚଳିତ ନିର୍ବାଚନରେ ୪ଟି ଆସନରେ ବିଜୟୀ ହୋଇଛି । ସେପଟେ କଂଗ୍ରେସରେ ଅନୁଷ୍ଠିତ ହୋଇଛି ବିଧାୟକ ଦଳ ବୈଠକ ।