spot_img

Latest Posts

ଆଜି ଝାଡଖଣ୍ଡର ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ନନ୍ଦିଘୋଷ ବ୍ୟୁରୋ:  ଆଜି ଝାଡ଼ଖଣ୍ଡର ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ। ଗତକାଲି ମୁଖ୍ଯମନ୍ତ୍ରୀ ଚମ୍ପାଇ ସୋରେନ ଇସ୍ତଫା ଦେବା ପରେ ରାଜ୍ଯପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିଥିଲେ ହେମନ୍ତ। ଦୁର୍ନୀତି ମାମଲାରେ ଜେଲ ଯାଇ ମୁକୁଳିଥିବା ହେମନ୍ତ ପୁଣି ଥରେ ସିଏମ ହେବେ। ହେମନ୍ତଙ୍କୁ ମୁଖ୍ଯମନ୍ତ୍ରୀ କରିବା ଲାଗି ଝାଡ଼ଖଣ୍ଡ ଇଣ୍ଡିଆ ମେଣ୍ଟ ବୈଠକରେ ନିଷ୍ପତ୍ତି ହୋଇଥିଲା। ବେଆଇନ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲରେ ୫ ମାସ ରହିବା ପରେ ଝାଡଖଣ୍ଡ ହାଇକୋର୍ଟ ଗତ ଜୁନ ୨୮ ତାରିଖରେ ତାଙ୍କୁ ମୁକ୍ତି ଦେଇଥିଲେ। ୨୦୦୦ ମସିହାରେ ଝାଡଖଣ୍ଡ ଗଠିତ ହେବା ପରେ ହେମନ୍ତ ହେବେ ତ୍ରୟୋଦଶ ମୁଖ୍ଯମନ୍ତ୍ରୀ।

ସେପଟେ ଚମ୍ପାଇଙ୍କୁ ୟୁପିଏ ସମନ୍ବୟ କମିଟିର ଅଧ୍ଯକ୍ଷ ଓ ଜେଏମଏମ କାର୍ଯ୍ୟକାରୀ ସଭାପତି ଦାୟିତ୍ବ ଦିଆଯାଇଛି। ଇଣ୍ଡିଆ ମେଣ୍ଟ ପକ୍ଷରୁ ଝାଡ଼ଖଣ୍ଡ ଦାୟିତ୍ବରେ ଥିବା କଂଗ୍ରେସ ନେତା ଗୁଲାମ ଅହମ୍ମଦ ମୀର ଓ ରାଜ୍ଯ ସଭାପତି ରାଜେଶ ଠାକୁର ଉପସ୍ଥିତ ଥିଲେ। ୬୭ବର୍ଷ ବୟସ୍କ ଚମ୍ପାଇ ସୋରେନ ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ଜଣେ ଘନିଷ୍ଠ ବନ୍ଧୁ। ଚଳିତ ବର୍ଷ ଶେଷ ଭାଗରେ ଝାଡଖଣ୍ଡ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ହେମନ୍ତଙ୍କୁ ମୁଖ୍ଯମନ୍ତ୍ରୀ କରିବା ଲାଗି ଇଣ୍ଡିଆ ମେଣ୍ଟ ନିଷ୍ପତ୍ତି ନେଇଥିଲା। ଗତ ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ୫ ଆସନ ମିଳିଥିବା ବେଳେ ଏନଡିଏକୁ ମିଳିଥିଲା ୯ ଆସନ। ଇଣ୍ଡିଆ ମେଣ୍ଟରେ ସାମିଲ ଜେଏମଏମକୁ ୩ ଓ କଂଗ୍ରେସକୁ ୨ ଆସନ ମିଳିଥିଲା। ବଡ଼କଥା ହେଉଛି ଖୁଣ୍ଟି ଆସନରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ ପୂର୍ବତନ ମୁଖ୍ଯମନ୍ତ୍ରୀ ଅର୍ଜୁନ ମୁଣ୍ଡା।

Latest Posts

Don't Miss