ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦେହାନ୍ତ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ପରଲୋକ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଝାରସୁଗୁଡ଼ାର ନିଜ ଗାଁ ଠାକୁରପଡ଼ାରେ ସେ ଅସୁସ୍ଥ ହୋଇପଡିଥିଲେ । ଚିକତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

May be an image of 3 people and people standing
୧୯୩୯ ଡିସେମ୍ବର ୧ରେ ହେମାନନ୍ଦ ବିଶ୍ୱାଳ ଜନ୍ମଗ୍ରହଣ କରିଥିଲେ । ୧୯୬୭ରେ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ସେ ରାଜନୀତିରେ ପାଦ ଦେଇଥିଲେ । ୧୯୭୧ରେ ମଧ୍ୟ ସେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୨ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ଝାରସୁଗୁଡା ଜିଲ୍ଲା ଲଇକେରା ଆସନରୁ ୧୯୭୪ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

May be an image of 3 people and people standing

ଏହାପରେ ୧୯୭୪ରୁ ୧୯୭୭, ୧୯୮୦ରୁ ୧୯୮୫, ୧୯୮୫ରୁ ୧୯୯୦, ୧୯୯୦ରୁ ୧୯୯୫, ୧୯୯୫ରୁ ୨୦୦୦ ଓ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୫ ମାର୍ଚ୍ଚରୁ ୧୯୮୬ ଡିସେମ୍ବର ପର୍ଯ୍ୟନ୍ତ କଂଗ୍ରେସ ସରକାରରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଥିଲେ । ୧୯୯୮ ମେ ୬ତାରିଖରୁ ୧୯୯୯ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଦାୟିତ୍ୱ ତୁଲାଇଥିଲେ ।

ସେ ସ୍ୱଳ୍ପ ସମୟ ପାଇଁ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଓ ଥରେ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୮୯ ଡିସେମ୍ବରରୁ ୧୯୯୦ ମାର୍ଚ୍ଚ ପର୍ଯ୍ୟନ୍ତ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ଦ୍ୱିତୀୟ ଥର ସେ ୧୯୯୯ ଡିସେମ୍ବରରୁ ୨୦୦୦ ମାର୍ଚ୍ଚ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ । ୧୯୯୫ ମାର୍ଚ୍ଚରୁ ୧୯୯୮ ମେ ପର୍ଯ୍ୟନ୍ତ ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିଲେ । ହେମାନନ୍ଦଙ୍କ ବିୟୋଗରେ ରାଜନୈତିକ ମହଲରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave a Reply