“ବୋତଲ ବିକି ପେଟ ପୋଶୁଛି… ଆଉ କେଇଟା ଦିନ ବଞ୍ଚିବି”

ଝାରସୁଗୁଡ଼ା: ପରିଣତ ବୟସରେ ସାହା ବୋଲି କେହି ନାହିଁ । ଅସହାୟ ଭାବେ ଜୀବନ ବିତାଉଥିବା ଝାରସୁଗୁଡ଼ା ଜୁରାବଗା ଗାଁର ବେଣୁଧର ସାହୁ  । ପାଣି ଟାଙ୍କି ତଳେ ଦୁଃଖ କଷ୍ଟରେ ରହି ସେ ଜୀବନ ବିତାଉଛନ୍ତି । ୭୦ବର୍ଷ ବୟସରେ ବି ସରୁନି କଷ୍ଟ । ବଞ୍ଚିବାକୁ ଅହରହ ସଂଘର୍ଷ କରୁଛନ୍ତି ଏହି ବୃଦ୍ଧ ଜଣଙ୍କ । ବୟସର ଅପରାହ୍ନରେ ବି ଥକି ପଡି ନାହାଁନ୍ତି ସେ  ।

Old Man

ଦିନସାରା ବୋତଲ ଗୋଟାଇବା ପାଇଁ  ପିଠିରେ ଅଖା ବସ୍ତା କାନ୍ଧରେ ଧରି ବାହାରି ପଡ଼ନ୍ତି ଆଉ ସଞ୍ଜ ନଇଁଲେ ଘରକୁ ଫେରି ଆସନ୍ତି । ଘର କହିଲେ ପାଣି ଟାଙ୍କି ତଳେ ସେ ବିତାଉଛନ୍ତି ଜୀବନ । ନା ଆଗକୁ କେହି ଅଛି ନା ପଛକୁ  । ସରକାରୀ ସହାୟତା ପାଇଁ ଦୌଡି ଦୌଡି ଦିନ ବିତିଲା  । ହେଲେ ସହାୟତା ଯେମିତି ବାଟ ଭୁଲିଯାଇଛି । ସେ କୁହନ୍ତି ମୁଁ ଆଉ କେଇଟା ଦିନ ବା ବଞ୍ଚିବି ଏଭଳି ସ୍ଥିତିରେ ସରକାରଙ୍କ ସହାୟତା ଯଦି ମିଳନ୍ତା ଏହି ସମୟ ଟିକେ ଭଲରେ ବିତିଯାଆନ୍ତି ।

Old Man

ତେବେ ଏଦୁଃଖ ଆଜିର ନୁହେଁ  । ଦୀର୍ଘ ବର୍ଷ ହେଲା ଜୁରାବଗା ପାଣି ଟାଙ୍କି ତଳେ ବେଣୁଧର ରହି ଆସୁଛନ୍ତି  । ଲୋକଙ୍କୁ ପାଣି ଯୋଗାଇ ଦେଉଛନ୍ତି । ହେଲେ ମ୍ୟୁନିସପାଲଟି ତରଫରୁ ତାଙ୍କୁ ଏପର୍ଯ୍ୟନ୍ତ ଟଙ୍କା ଟିଏ ମଧ୍ୟ ମିଳିନଥିବା ସେ କହିଛନ୍ତି । ସରକାରୀ ସହାୟତା ମିଳିପାରିଲେ ସେ ଉପକୃତ ହୋଇ ପାରିବେ । ଗଣମାଧ୍ୟମରୁ ଜାଣିବା ପରେ ବୃଦ୍ଧଙ୍କ ସମସ୍ୟାର ସମାଧାନ କରାଯିବବୋଲି କହିଛନ୍ତି ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ  ।

(ଝାରସୁଗୁଡ଼ାରୁ ସୁଦାମ ସାହୁଙ୍କ ରିପୋର୍ଟ)

Leave a Reply